ରାୟପୁର: ବିଜେପିର ବରିଷ୍ଠ ଆଦିବାସୀ ନେତା ବିଷ୍ଣୁଦେବ ସାଏ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଦଳର ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ନବନିର୍ବାଚିତ ବିଧାୟକମାନେ ବିଷ୍ଣୁଦେବଙ୍କୁ ନେତା ନିର୍ବାଚିତ କରିଛନ୍ତି। ନେତା ନିର୍ବାଚିତ ହେବାପରେ ବିଷ୍ଣୁଦେବ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାୟପୁର ସ୍ଥିତ ରାଜଭବନରେ ଭେଟିଛନ୍ତି। ରାଜ୍ୟପାଳଙ୍କ ପକ୍ଷରୁ ଶପଥ ଗ୍ରହଣ ପାଇଁ ବିଷ୍ଣୁଦେବଙ୍କୁ ଆମନ୍ତ୍ରଣ କରାଯାଇଛି। ତେବେ ଶପଥ ଗ୍ରହଣ ତାରିଖ ଦଳର କେନ୍ଦ୍ରୀୟ ନେତୃତ୍ବ ସ୍ଥିର କରିବେ।
ବିଧାୟକ ଦଳ ବୈଠକରେ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହ ବିଷ୍ଣୁଦେବଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ରାଜ୍ୟ ବିଜେପିର ବରିଷ୍ଠ ନେତା ବ୍ରଜମୋହନ ଅଗ୍ରୱାଲ ସମର୍ଥନ କରିଥିଲେ। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ନିଯୁକ୍ତି ଦିଆଯିବ। ଉପମୁଖ୍ୟମନ୍ତ୍ରୀ ଭାବେ ବିଜୟ ଶର୍ମା ଏବଂ ଅରୁଣ ସାଓ ଶପଥ ଗ୍ରହଣ କରିବେ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ବିଧାନସଭାର ବାଚସ୍ପତି କରାଯିବ ବୋଲି ନିଷ୍ପତ୍ତି ହୋଇଛି।