ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ 

ଅମରାବତୀ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି ଓଡିଶା ରାଜନୀତିର ପରିଚିତ ଚେହେରା ବିଶ୍ୱଭୂଷଣ ହରିଚନ୍ଦନ | ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ବିଶ୍ୱଭୂଷଣ ଶପଥ ନେଇଥିବାବେଳେ ତାଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସ୍ୱାଗତ କରିଥିଲେ | ଆଜି ସକାଳେ ସ୍ୱତନ୍ତ୍ର ବିମାନରେ ବିଶ୍ୱଭୂଷଣ ପହଂଚିବାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିମାନବନ୍ଦରରେ ସ୍ୱାଗତ କରିଥିଲେ | ଏଠାରେ ସୂଚନା ଥାଉ କି ଜୁଲାଇ ୧୬ ତାରିଖରେ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା |

ଏଠାରେ ସୂଚନା ଥାଉ କି ୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଭାବେ ଜଣାଶୁଣା। ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନରେ ଗିରଫ ହୋଇ ଜେଲ ଯାଇଥିଲେ।

ଚିଲିକା ନିର୍ବାଚନମଣ୍ଡଳୀରୁ ୨ ଥର ଓ ଭୁବନେଶ୍ବର ଆସନରୁ ୩ଥର ଏହିଭଳି ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ହରିଚନ୍ଦନ ବିଭିନ୍ନ ସରକାରରେ ବରିଷ୍ଠ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ପ୍ରଥମ ଥର ଗୃହକୁ ନିର୍ବାଚିତ ହେବା ପରେ ୧୯୭୭ରେ ସେ ଖାଦ୍ୟଯୋଗାଣ, ଆଇନ, ଶ୍ରମ ଓ ନିଯୁକ୍ତି, ସଂସ୍କୃତି ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନଙ୍କୁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଶ୍ରୀ ହରିଚନ୍ଦନ ଆଇନ, ମତ୍ସ୍ୟ ଓ ପଶୁସଂପଦ, ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା ଓ ମାନସୀ ଭଳି ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର