ଲାଲୁ ଯାଦବଙ୍କ ଦୁଇ ପୁଅଙ୍କ ଭିତରେ ତିକ୍ତତା, ତେଜସ୍ବୀଙ୍କ ଉପଦେଷ୍ଟାଙ୍କ ଉପରେ ତେଜପ୍ରତାପଙ୍କ ବିଷୋଦ୍‌ଗାର

ପାଟନା: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅଙ୍କ ମଧ୍ୟରେ ସମ୍ପର୍କ ଏବେ ବିଭିନ୍ନ କାରଣରୁ ତିକ୍ତ ହୋଇଉଠିଛି। ଆର୍‌ଜେଡି ମୁଖ୍ୟଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ଏକ ଟ୍ବିଟର୍‌ ପୋଷ୍ଟରୁ ମାମଲା ଜଟିଳ ହେଉଥିବା ଅନୁମାନ କରିହେଉଛି। ତେଜପ୍ରତାପ ତାଙ୍କ ସାନଭାଇ ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ରାଜନୈତିକ ଉପଦେଷ୍ଟା ସଞ୍ଜୟ ଯାଦବଙ୍କୁ, ତାଙ୍କ ନାମ ନ ନେଇ, ସେ ଜଣେ ଦିଗହରା ଉପଦେଷ୍ଟା ବୋଲି ସମାଲୋଚନା କରିଛନ୍ତି। ତେଜପ୍ରତାପ ତାଙ୍କ ଟୁଇଟରେ ସଞ୍ଜୟଙ୍କୁ କଟୁ ସମାଲୋଚନା କରି ଲେଖିଛନ୍ତି,- ଏହି ସୁବିଧାବାଦୀ ଉପଦେଷ୍ଟା, ଯାହାଙ୍କ ପରାମର୍ଶରେ ଦଳ ଚାଲୁଛି, ସେ ତାଙ୍କ ପରିବାରରୁ କାହାକୁ ସରପଞ୍ଚ ବି କରାଇପାରିବେନି। ମୋ ଅର୍ଜୁନଙ୍କୁ ସେ କେମିତି ମୁଖ୍ୟମନ୍ତ୍ରୀ କରାଇବେ? ଏହି ଉପଦେଷ୍ଟା କେବଳ ଲାଲୁ ପରିବାର ଓ ଆର୍‌ଜେଡିରେ ଫାଟ ସୃଷ୍ଟି କରିବା ଛଡ଼ା ଆଉ କିଛି ଜାଣିନାହାନ୍ତି।

ବୁଧବାର ମଧ୍ୟ ତେଜପ୍ରତାପ ତାଙ୍କ ଘନିଷ୍ଠ ସହଯୋଗୀ ଆକାଶ ଯାଦବଙ୍କୁ ଆର୍‌ଜେଡିର ଛାତ୍ରଶାଖା ସଭାପତି ପଦରୁ ଅପସାରଣ କରାଯିବା ଘଟଣାରେ ସଞ୍ଜୟଙ୍କୁ ଟାର୍ଗେଟ କରି ସେ ତୀବ୍ର ପ୍ରତିକ୍ରିୟା ରଖିଥିଲେ। ତେଜପ୍ରତାପଙ୍କ ସହ ତିକ୍ତତା ନେଇ ପ୍ରଶ୍ନ କରାଯିବାରୁ ତେଜସ୍ବୀ ଯାଦବ କହିଛନ୍ତି, ପ୍ରତ୍ୟେକଙ୍କର ଭିନ୍ନ ମତ ଅଛି। ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ଯେତେବେଳେ ମୁଁ ଅଛି, ରାଜ୍ୟର ଦଳମୁଖ୍ୟ ଅଛନ୍ତି, ସବୁକିଛି ସମାଧାନ ହୋଇଯିବ। ଆମେ ଆମ କାମ କରୁଛୁ।

ସମ୍ବନ୍ଧିତ ଖବର