ନୂଆଦିଲ୍ଲୀ: ପାକିସ୍ତାନର ଲାହୋର ଠାରୁ ୨୮୦ କିଲୋମିଟର ଦୂରରେ ଥିବା ଏକ ପାହାଡ ଉପରେ ଭଗବାନ କଟାଷରାଜଙ୍କ ମନ୍ଦିର ଅଛି । ପ୍ରାୟ ୧୦୦୦ ବର୍ଷର ପୁରୁଣା ଏହି ମନ୍ଦିର ପାକିସ୍ତାନର ଚକବାଲ ଜିଲ୍ଲାରେ ଅବସ୍ଥିତ । ପୂର୍ବରୁ ଶିବରାତ୍ରିରେ ଏହି ମନ୍ଦିରକୁ ଭାରତରୁ ଭକ୍ତମାନେ ଯାଇଥାଆନ୍ତି। କିନ୍ତୁ ଏଥର ଭାରତୀୟ ଭକ୍ତ କଟାଷରାଜଙ୍କ ଦର୍ଶନ କରିବାକୁ ଆସିବେ ନାହିଁ । ଏହାର କାରଣ ହେଲା, ପୁଲଓ୍ଵାମାରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନ ପକ୍ଷରୁ ଭାରତୀୟ ଭକ୍ତଙ୍କୁ ଭିସା ଦିଆଯାଇ ନାହିଁ। ଏହା ପୂର୍ବରୁ ୧୯୯୯ର କାରଗିଲ ଯୁଦ୍ଧ ଓ ୨୦୦୮ର ମୁମ୍ବାଇ ଆକ୍ରମଣ ପରେ ଏପରି ହୋଇଥିଲା । ଅନ୍ୟପଟେ ମହାଶିବରାତ୍ରି ପାଇଁ ୧୦୦୦ ବର୍ଷର ଏହି ପ୍ରାଚୀନ ମନ୍ଦିରରେ ଥିବା ୧୫୦ ଫୁଟ ଲମ୍ବ ଓ ୯୦ ଫୁଟ ଓସାର ପୋଖରୀର ପାଣିକୁ ପରିଷ୍କାର କରାଯାଇଛି।
ସନାତନ ଧର୍ମର ସଂଯୋଜକ ସନପ୍ରତାପ ବଜାଜ କହନ୍ତି, ଗତ ୩୬ ବର୍ଷ ହେବ ସେ ଭାରତୀୟମାନଙ୍କୁ ନେଇ କଟାଷରାଜ ମନ୍ଦିରକୁ ଯାତ୍ରା କରୁଛନ୍ତି । ଚଳିତ ବର୍ଷ ୧୪୧ ଜଣ ଭକ୍ତ କଟାଷରାଜ ମନ୍ଦିରକୁ ଯିବା ପାଇଁ ଭିସା ଆବେଦନ କରିଥିଲେ । କିନ୍ତୁ ପୁଲଓ୍ଵାମା ଆକ୍ରମଣ ପରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ନ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଏହି ବର୍ଷ ସିନ୍ଧ୍ର କିଛି ହିନ୍ଦୁ ପରିବାର ଭଗବାନ ଶିବଙ୍କ ଜଳାଭିଷେକ କରିବେ ।
୧୯୭୨ରେ ସ୍ୱାକ୍ଷର ହୋଇଥିବା ଭାରତ-ପାକ ଚକ୍ତି ଅନୁସାରେ ପ୍ରତିବର୍ଷ ୨୦୦ ଭାରତୀୟ କଟାଷରାଜଙ୍କ ଦର୍ଶନ ପାଇଁ ପାକିସ୍ତାନ ଯାଇପାରିବେ ।