ବିଜେପି ନିର୍ବାଚନୀ ଇସ୍ତାହାର: ୫ ବର୍ଷ ଯାଏଁ କୃଷକଙ୍କୁ ବିନା ସୁଧରେ ଋଣ ମିଳିବ; ୨୦୩୦ ସୁଦ୍ଧା ଆମେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବୁ

ନୂଆଦିଲ୍ଲୀ: ୫ ବର୍ଷ ଯାଏଁ କୃଷକମାନଙ୍କୁ ଦିଆ ଯାଉଥିବା ଋଣ ପାଇଁ ସୁଧ ପଡ଼ିବ ନାହିଁ। ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନିଶ୍ଚିତ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯିବ। କିଷାନ ସମ୍ମାନ ଯୋଜନା ସମ୍ପ୍ରସାରଣ କରାଯିବ ବୋଲି ବିଜେପି ମୁଖ୍ୟାଳୟରେ ସୋମବାର ଦିନ ନିର୍ବାଚନୀ ଇସ୍ତାହାର ‘ସଙ୍କଳ୍ପ ପତ୍ର ଉନ୍ନୋଚନ’ ପରେ ଏଥିରେ ଉଲ୍ଲେଖ ଥିବା କିଛି ପ୍ରସଙ୍ଗ ଉପରେ ସଂକ୍ଷିପ୍ତ ସୂଚନା ଦେଇ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ଜମିପଟ୍ଟାର ଡିଜିଟାଇଜେସନ୍‌ ହେବ। କୃଷି ଉପାର୍ଜନ ଦୁଇଗୁଣ ହେବ। କିଷାନ ସମ୍ମାନ ନିଧିରେ ସମସ୍ତ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦିଆଯିବ। ଦେଶର ସମସ୍ତ କୃଷକମାନଙ୍କ ଲାଗି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଲାଗୁ କରାଯିବ। ଗ୍ରାମୀଣ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ୨୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ। ୬୦ ବର୍ଷ ବୟସ ପରେ ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନିଶ୍ଚିତ ପେନ୍‌ସନ୍‌ ଦେବୁ। ୧ରୁ ୫ ବର୍ଷ ଯାଏଁ ବିନା ସୁଧରେ ୧ ଲକ୍ଷ ଟଙ୍କା ଯାଏଁ ସ୍ୱଳ୍ପକାଳୀନ ନୂତନ କୃଷିଋଣ ଯୋଗାଇ ଦେବୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି କି, ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବେଆଇନ ପ୍ରବାସବାସ ରୋକାଯିବ। ନାଗରିକତ୍ୱ ବିଲ୍‌ ପାରିତ ହେବ। ପ୍ରତ୍ୟେକ ରାଜ୍ୟର ସାଂସ୍କୃତିକ ମୂଲ୍ୟବୋଧ ଆଧାରକୁ ସମ୍ମାନ ଦେଇ ବିଜେପି ନିଶ୍ଚୟ ସଂସଦରେ ନାଗରିକ ସଂଶୋଧନ ବିଲ୍‌ ପାରିତ କରିବ। ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଣୟନ ଲାଗି ବିଜେପି ପ୍ରତିବଦ୍ଧ।

ରାମ ମନ୍ଦିର ନିର୍ମାଣ ପାଇଁ ଯାହା କରାଯାଇ ପାରିବ ବିଜେପି ସରକାର ତାହା କରିବ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କରାଯିବ। ଜାତୀୟ ରାଜପଥର ଦୈର୍ଘ୍ୟ ସମ୍ପ୍ରସାରଣ କରାଯିବ।

ଆତଙ୍କବାଦ ଓ ମୌଳବାଦ ବିରୋଧରେ ‘ଜିରୋ’ ଟଲେରାନ୍‌ସ୍‌ ନୀତି ଅବଲମ୍ବନ କରାଯିବ। ଜନ ସଂଘ ବେଳୁ ଆମେ ୩୭୦ ଧାରା ପ୍ରତ୍ୟାହାର ପାଇଁ ଦାବି କରିଛୁ। ଜମ୍ମୁ ଓ କଶ୍ମୀରରେ ଅସ୍ଥାୟୀ ବାସିନ୍ଦା ଓ ମହିଳାଙ୍କ ପ୍ରତି ବୈଷମ୍ୟ ହୋଇଥିବାରୁ ସମ୍ବିଧାନର ଧାରା ୩୫ (କ) ଅକାମି କରିବାକୁ ଆମେ ପ୍ରତିବଦ୍ଧ।

୨୦୩୦ ସୁଦ୍ଧା ଆମେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି କରିବା ଆମର ଅଭିପ୍ରାୟ। ତେଣୁ ୨୦୨୫ ସୁଦ୍ଧା ଆମେ ଭାରତକୁ ୫ ଟ୍ରିଲିୟନ୍‌ ଅର୍ଥନୀତି ଓ ୨୦୩୨ ସୁଦ୍ଧା ୧୦ ଟିଲିୟନ୍‌ ଅର୍ଥନୀତିରେ ପରିଣତ କରିବୁ।

ମହିଳାଙ୍କ କଲ୍ୟାଣ ଏବଂ ବିକାଶ ପାଇଁ ସରକାରୀସ୍ତରରେ ସବୁମତେ ଉଦ୍ୟମ ହେବ ଏବଂ ସାମ୍ବିଧାନିକ ସଂସ୍କାର ଦ୍ୱାରା ବିଜେପି ସଂସଦ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ଲାଗି ୩୩% ଆସନ ସଂରକ୍ଷଣ କରିବ।

ସରକାରୀ କିଂବା ଘରୋଇ ଭାଗିଦାରୀରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଁ ମେଡିକାଲ୍‌ କଲେଜ ବା ସ୍ନାତକୋତ୍ତର ମେଡିକାଲ୍‌ କଲେଜ ବସାଇବୁ। ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକରେ ମ୍ୟାନେଜ୍‌ମେଣ୍ଟ୍‌ ସିଟ୍‌ ବୃଦ୍ଧି ପାଇବ।

୨୦୨୨ ସୁଦ୍ଧା ହେଲ୍‌ଥ୍‌ ଆଣ୍ଡ୍‌ େଓ୍ଵଲ୍‌ନେସ୍‌ ସେଣ୍ଟର୍‌ଗୁଡ଼ିକରେ ଟେଲିମେଡିସିନ୍‌ ଏବଂ ଡାଇଗ୍ନୋଷ୍ଟିକ୍ସ୍‍ ଲାବ୍ରୋଟେରି ସୁବିଧା ଯୋଗାଇ ଦେବୁ।
ଇତିହାସରେ ଆମେ ହେଉଛୁ ପ୍ରଥମ ସରକାର ଯିଏ ଭାରତର ମଧ୍ୟବିତ୍ତ ଶ୍ରେଣୀ ଉପରେ ଧ୍ୟାନ ଦେଇ ଦାରିଦ୍ର୍ୟ ଦୂରିକରଣ ଦ୍ରୁତତ୍ତର କରିଛି। ଦଳର ଇସ୍ତାହାର ହେଉଛି ଏକ ଦେଶ ଏକ ନିର୍ବାଚନର ଅଂଶବିଦେଶ।

ଆଜି ବିଜପେିର ୨୦୧୯ ନିର୍ବାଚନୀ ଇସ୍ତାହାର ଉନ୍ନୋଚନ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଅନ୍ୟାନ୍ୟ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର