ଗୋଆ : ଗୋଆରେ ବିଜେପି ୨୦ଟି ଆସନରେ ବିଜୟ ହାସଲ କରିଛି । ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟରେ ଏ ନେଇ ଉଲ୍ଲେଖ ରହିଛି । ଏହା ସହିତ ଦଳକୁ ୩ ସ୍ବାଧୀନ  ବିଧାୟକଙ୍କ ସମର୍ଥନ ମିଳିଛି । ମ୍ୟାଜିକ ନମ୍ବର ୨୧ ହୋଇଥିବାରୁ ଗୋଆରେ ପୁଣି ବିଜେପି ସରକାର ଗଢିବା ଏକରକମ ନିଶ୍ଚିତ ହୋଇଯାଇଛି । ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ହିଁ ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବ ।

Advertisment

ନିର୍ବାଚନ ଆୟୋଗ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁସାରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ଆସନରେ ବିଜେପି ୨୦ଟି ଆସନରେ ବିଜୟୀ  ହୋଇଛି । କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିବାବେଳେ ୨ଟି ଆସନରେ ଆଗୁଆ ରହିଛି । ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଦୁଇଟି  ଆସନରେ ବିଜୟୀ ହୋଇଛି ।

ଗୋଆରେ ପୁଣି ବିଜେପି ସରକାର ଗଢିବା ପରେ ପ୍ରମୋଦ ସାଓ୍ବନ୍ତ ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ଏ ନେଇ ଦଳ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ ।

ଅନ୍ୟପକ୍ଷରେ ଗୋଆରେ ଆମ ଆଦମି ପାର୍ଟି (ଆପ) ୨ଟି ଆସନରେ ବିଜୟ ଲାଭ କରିଥିବାବେଳେ ପ୍ରଥମ ଥର ପାଇଁ ଗୋଆ ରାଜନୀତିରେ ପ୍ରବେଶ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ୨ଟି ଆସନରେ ବିଜୟ ହାସଲ କରିଛି ।

ଉଲ୍ଲେଖଯୋଗ୍ୟ, ୨୦୧୭ ବିଧାନସଭା ନିର୍ବାଚନରେ ଗୋଆରେ କଂଗ୍ରେସ ୧୭ଟି ଆସନରେ ବିଜୟ ଲାଭ କରିଥିଲା। ସେହିପରି  ବିଜେପି ଜିତିଥିଲା ୧୩ଟି ଆସନ। ଅନ୍ୟପକ୍ଷରେ ଆଞ୍ଚଳିକ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୩ ଆସନରେ ବିଜୟ ଲାଭ କରିଥିଲା। ଗୋଆ ଫରୱାର୍ଡ ପାର୍ଟି ୩ଟି ଆସନ, ଏନସିପି ଗୋଟିଏ ଆସନ ଏବଂ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ଏନସିପି ଖାତା ଖୋଲିବାରେ ସମର୍ଥ ହୋଇନାହିଁ ଓ ଆଞ୍ଚଳିକ ଦଳ ଗୋଆ ଫରୱାର୍ଡ ପାର୍ଟି ବି କୌଣସି ଆସନ ଜିତି ପାରିନାହିଁ।