ଭୁବନେଶ୍ୱର: ଲୋକସଭାରେ ଆଜି ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିଜୁ ଜନତା ଦଳ ଭାଗ ନେବ ନାହିଁ। ଏ ସମ୍ପର୍କରେ ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିଜୁ ଜନତା ଦଳର ନେତା ଭର୍ତ୍ତୃହରି ମହାତାବ ଠିଆ ହୋଇ ବାଚସ୍ପତି ସୁମିତ୍ରା ମହାଜନଙ୍କୁ କହିଥିଲେ ଯେ ଗତ ୧୪ ବର୍ଷ ମଧ୍ୟରେ କୌଣସି ସରକାର ( ୟୁପିଏରର ୧୦ ବର୍ଷ ଓ ଏନଡିଏର ୪ ବର୍ଷ) କାଳରେ ଓଡ଼ିଶା ପ୍ରତି କୌଣସି ସରକାର ନ୍ୟାୟ କରି ନାହାଁନ୍ତି। ଏ ପ୍ରକାର ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେବା ଦ୍ୱାରା ଓଡ଼ିଶାର କୌଣସି ଲାଭ ହେବ ନାହିଁ। ତେଣୁ ବିଜୁ ଜନତା ଦଳ ଅନାସ୍ଥା ପସ୍ତାବ ଭୋଟ୍ରେ ଅଂଶ ଗ୍ରହଣ ନ କରି ଏଥିରୁ ବିରତ ରହିବ ଓ ବିଜେଡି ସଦସ୍ୟ କକ୍ଷତ୍ୟାଗ କରୁଛନ୍ତି ବୋଲି ଶ୍ରୀ ମହତାବ ଘୋଷଣା କରିବା ସହିତ ସଂସଦ ଛାଡ଼ି ଚାଲି ଆସଥିଲେ। ପରେ ପରେ ବିଜୁ ଜନତା ଦଳର ସାଂସଦମାନେ ମଧ୍ୟ ଲୋକସଭାରୁ ବାହାରି ଆସିଛନ୍ତି।