ନୂଆଦିଲ୍ଲୀ: ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନର ଛଅ ମାସ ପରେ ଭୋଟ ପାର୍ଥକ୍ୟ ଅଭିଯୋଗ ଆଣିଛି ବିଜେଡି। ଏହି ପ୍ରସଙ୍ଗରେ ଆଜି ଭାରତର ନିର୍ବାଚନ କମିସନ୍(ଇସିଆଇ)ଙ୍କ ଦ୍ବାରସ୍ଥ ହୋଇଛି ଦଳ। ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ରାଜ୍ୟସଭା ସାଂସଦମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଇସିଆଇଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏହା ପରେ ନୂଆଦିଲ୍ଲିରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଲୋକସଭା ଓ ବିଧାନସଭା ନିର୍ବାଚନରେ ଇଭିଏମ୍ରେ ପଡ଼ିଥିବା ଓ ଗଣତି ଭୋଟ ମଧ୍ୟରେ ତାଳମେଳ ରହି ନଥିବା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା।
ବିଜେଡିର ଅଭିଯୋଗ ଅନୁଯାୟୀ ଭୋଟ ଦିନ ସନ୍ଧ୍ୟା ୫, ରାତି ୧୧ଟା ୪୫ ଗଣତି ବେଳର ତଥ୍ୟ ଭିନ୍ନ ଦର୍ଶାଉଛି। ବିଭିନ୍ନ ବୁଥରେ ତାରତମ୍ୟ ୨୦ ପ୍ରତିଶତରୁ ସର୍ବାଧିକ ୩୦ ପ୍ରତିଶତ ହୋଇଥିବା ନଜରକୁ ଆସିଛି। ଓଡ଼ିଶାରେ ୨୦୦୪, ୨୦୦୯, ୨୦୧୪, ୨୦୧୯ ଓ ୨୦୨୪ରେ ଏକାବେଳେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲେ ବି ଏତେ ଫରକ ହେଉ ନଥିଲା। ତାରତମ୍ୟ ୦.୫ରୁ ୧.୫ ପ୍ରତିଶତ ମଧ୍ୟରେ ସୀମିତ ରହୁଥିଲା। କିନ୍ତୁ ପୂର୍ବ ନିର୍ବାଚନ ଅପେକ୍ଷା ୨୦୨୪ ସାଧାରଣ ନିର୍ବାଚନରେ ଏହି ତାରତମ୍ୟ ସର୍ବାଧିକ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ଦେଶର ତଥା ଓଡ଼ିଶା ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ତାରତମ୍ୟ ୧୫ ପ୍ରତିଶତରୁ ୩୦ ପ୍ରତିଶତ ମଧ୍ୟରେ ରହିଛି।
ନୂଆଦିଲ୍ଲୀରେ ନିର୍ବାଚନ କମିସନ୍ଙ୍କୁ ଭେଟିଲେ
ନିର୍ଦ୍ଦିଷ୍ଟ କେତୋଟି ସଂସଦୀୟ ଓ ବିଧାନସଭା କ୍ଷେତ୍ରକୁ ନେଇ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ୫୦ଟି ବିଧାନସଭା ଆସନରୁ ୩୮ ବିଧାନସଭା ଆସନରେ ମତଦାନ ହାର ତାରତମ୍ୟ ୧୫ରୁ ୨୨ ପ୍ରତିଶତ। ସେହିଭଳି ୧୦ ବିଧାନସଭା ଆସନରେ ମତଦାନ ହାର ତାରତମ୍ୟ ୨୦ରୁ ୨୫ ପ୍ରତିଶତ ରହିଛି। ୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଦାନ ହାର ତାରତମ୍ୟ ୨୯ରୁ ୩୧ ପ୍ରତିଶତ ରହିଛି। କନ୍ଧମାଳ(ଏସ୍ସି), ତଳସରା(ଏସ୍ସି), ଏକାମ୍ର ଭୁବନେଶ୍ବର ,ଟିଟଲାଗଡ଼, ସମ୍ବଲପୁର, ବାଲେଶ୍ବର ବିଧାନସଭାର ତାରତମ୍ୟର ଉଦାହରଣ ଦିଆଯାଇଛି। କଣ୍ଟାମାଳ ଓ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ତାରତମ୍ୟ ଥିବାର ଅଭିଯୋଗ କରାଯାଇଛି। କଣ୍ଟାମାଳରେ ମତଦାନ ହାର ତାରତମ୍ୟ ୨୮.୬୯ ପ୍ରତିଶତ। କେନ୍ଦୁଝରରେ ତାରତମ୍ୟ ସର୍ବାଧିକ ୩୦.୬୪ ପ୍ରତିଶତ। ଅବଶିଷ୍ଟ ୯୭ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ତାରତମ୍ୟ ୩ ପ୍ରତିଶତରୁ ୧୫ ପ୍ରତିଶତ ମଧ୍ୟରେ ରହିଥିବାର କୁହାଯାଇଛି।
ଏଥି ସହିତ ରାଜ୍ୟରେ ଗୋଟିଏ ଲୋକସଭା କ୍ଷେତ୍ର ଓ ତାହା ଅର୍ନ୍ତଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟରେ ପାର୍ଥକ୍ୟ ରହିଥିବାର ଅବଗତ କରାଯାଇଛି। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ଓ ଭୋଟ ଗଣତି ମଧ୍ୟରେ ତାରତମ୍ୟ ୪୦୫୬, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ୩୫୨୧, ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ବ୍ୟବଧାନ ୨୭୦୧ ତଥା ଯାଜପୁର ସଂସଦୀୟ କ୍ଷେତ୍ରରେ ମାତ୍ର ୨ ହଜାର ଭୋଟ ବ୍ୟବଧାନରେ ପ୍ରାର୍ଥୀଙ୍କ ହାରଜିତ ହୋଇଥିବା ବେଳେ ବିଧାନସଭା ଓ ଲୋକସଭା ଭୋଟର ବ୍ୟବଧାନ ୬୭୭ ରହିଥିଲା। ଏହା କିପରି ସମ୍ଭବ ହେଲା, ଇସିଆଇ ଏହାର ପୁଂଖାନୁପୁଂଖ ତଦନ୍ତ କରିବାକୁ ବିଜେଡି ଦାବି କରିଛି।
ବିଜେଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଫର୍ମ ୧୭(ସି) ହେଉକି ଫର୍ମ ୨୦ ଏସବୁ ସାଧାରଣ ଦଲିଲ। କିନ୍ତୁ ଆର୍ଟିଆଇରେ ତଥ୍ୟ ମାଗିଲେ ତଥ୍ୟ ଦିଆଯାଉ ନାହିଁ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁ ନାହିଁ। ଏ ନେଇ ସିଇଓଙ୍କୁ ଅନୁଧ୍ୟାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଥିଲା। ଦେଶରେ ନିର୍ବାଚନରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏହି ପ୍ରସଙ୍ଗକୁ ଇସିଆଇଙ୍କ ନିକଟରେ ଉପସ୍ଥାପନ କରାଯାଇଛି।