ସେପଟେ ପ୍ରଶଂସା, ଏପଟେ ଲଢ଼େଇ: କୋଇଲା ଓ ଖଣି ସଂସ୍କାର କ୍ଷେତ୍ରରେ ଓଡ଼ିଶା କେନ୍ଦ୍ର ସହ କାନ୍ଧ ମିଳାଇଛି

ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ଉଦାହରଣ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଲା ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ରାଜ୍ୟସଭାକୁ ସମ୍ବୋଧନ କରିଥିଲେ। ପ୍ରଧାନମନ୍ତ୍ରୀ କହିଲେ, କୋଇଲା ଓ ଖଣି କ୍ଷେତ୍ରରେ ସଂସ୍କାର ଲାଗୁ କରିବାରେ ଓଡ଼ିଶାର ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କେନ୍ଦ୍ରୀୟ ସଂସ୍କାରକୁ କାର୍ଯ୍ୟକ‌ାରୀ କରିବା କ୍ଷେତ୍ରରେ ଓଡ଼ିଶା କେନ୍ଦ୍ର କାନ୍ଧରେ କାନ୍ଧ ମିଳାଇଛି। କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଆଗରେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପାରଦର୍ଶିତା ପ୍ରକ୍ରିୟାରେ ଖଣି ନିଲାମ ବ୍ୟବସ୍ଥା କେନ୍ଦ୍ର ସରକାର ଲାଗୁ କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଏହାକୁ ଲାଗୁ କରିଛନ୍ତି। କୋଇଲା ଓ ଖଣି ନିଲାମ ହେବା ଦ୍ବାରା ଯେଉଁ ରାଜସ୍ବ ଆୟ ହେଉଛି ତାହା ରାଜ୍ୟକୁ ଯାଉଛି। ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଭବାନ ହେଉଛନ୍ତି। ଏହା ହିଁ ସଂଘୀୟ ବ୍ୟବସ୍ଥାର ଉଦାହରଣ। ସଂପ୍ରତି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତି ବାତାବରଣକୁ ସରଗରମ କରିଦେଇଛି। ରାଜ୍ୟରେ ଶାସକ ଦଳ କେନ୍ଦ୍ର ସରକାର ବିରୋଧରେ ଗର୍ଜନ ତର୍ଜନ କରୁଛନ୍ତି ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଠିକ୍ ଏମିତି ସମୟରେ ପ୍ରଧାନମନ୍ତ୍ରୀ ସଂଘୀୟ ବ୍ୟବସ୍ଥାର ଉଦାହରଣ ଦେବା ଛଳରେ ନବୀନଙ୍କୁ ଖୋଲା ପ୍ରଶଂସା କରିବା ଘଟଣା ରାଜନୈତିକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଆଜି ଯେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ତାହା ନୁହେଁ। ଏହା ପୂର୍ବରୁ ସଂସଦରେ ସଦସ୍ୟଙ୍କ ବିଶୃଙ୍ଖଳିତ ଆଚରଣ ସଂପର୍କରେ ସୂଚନା ଦେବାବେଳେ ମୋଦୀ ବିଜେଡି ବିଧାୟକ ଓ ପରୋକ୍ଷରେ ନବୀନଙ୍କୁ ଖୋଲା ପ୍ରଶଂସା କରିବାକୁ ପଛାଇ ନଥିଲେ।

ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଆଲୋଚନାକୁ ଖୋରାକ ମିଳିଲା

ଆଜି ପ୍ରଧାନମନ୍ତ୍ରୀ ସଂସଦରେ ଆହୁରି କହିଛନ୍ତି ଯେ ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହେବ। ତେଣୁ ରାଜ୍ୟ ଓ କେନ୍ଦ୍ର ମିଳିମିଶି କାମ କରିବା ଉଚିତ। କେନ୍ଦ୍ର ସରକାର ସବୁବେଳେ ରାଜ୍ୟମାନଙ୍କର ଉନ୍ନତି ପାଇଁ ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ସହ ରାଜ୍ୟ ସରକାର ମିଳିମିଶି ଆଗକୁ ବଢ଼ୁଛନ୍ତି। ଆଞ୍ଚଳିକ ଉଚ୍ଚାକାଂକ୍ଷାକୁ ଉଚିତ ଗୁରୁତ୍ବ ଦେଇ ସମାଧାନ କରାଯିବା ଉଚିତ ବୋଲି ଶ୍ରୀ ମୋଦୀ କହିଥିଲେ। ସଂଘୀୟ ବ୍ୟବସ୍ଥାକୁ ନେଇ କଂଗ୍ରେସ, ବାମଦଳ ଓ ଟିଏମସି ସମେତ ଅନ୍ୟ ଦଳର ନେତାମାନେ ମତ ବ୍ୟକ୍ତ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ଭାଷଣ ଦେବାବେଳେ ଅନ୍ୟ ଦଳମାନଙ୍କ ନାମ ନେଇଥିଲେ ଓ ବିଜେଡି ନାମ ଧରିନଥିଲେ। ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ର ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସଂଘୀୟ ବ୍ୟବସ୍ଥାକୁ ନେଇ ମଧ୍ୟ ମତ ରଖିଥିଲେ।

ପ୍ରଧାନମନ୍ତ୍ରୀ ଭାଷଣ ପ୍ରାରମ୍ଭରେ ବିଜେଡି ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପରାମର୍ଶକୁ ମଧ୍ୟ ପ୍ରଶଂସା କରିବାକୁ ଭୁଲିନଥିଲେ । ମୋଦୀ ସରକାରଙ୍କ ଦ୍ବାରା ଦେଶର ସାଧାରଣତନ୍ତ୍ର ଦିବସକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସରୁ ପାଳନ କରାଯିବା ନିଷ୍ପତ୍ତି ଉଚିତ ବୋଲି ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ। ସେହିଭଳି ମୋଦୀ ସରକାର ଡିସେମ୍ବର ୨୬ କୁ ବୀର ବାଲ ଦିବସ ପାଳନ କରିବା ନିଷ୍ପତ୍ତିକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଓଡ଼ିଶାର ବାଜି ରାଉତଙ୍କ ସମେତ ଦେଶର ବାଲ ସହିଦଙ୍କ ତଥ୍ୟ ଏକତ୍ରିତ କରି ସେମାନଙ୍କ ସ୍ମାରକ ପ୍ରତିଷ୍ଠା କରିବା ସହିତ ‌ବାଲ ବୀରଙ୍କ କାର୍ଯ୍ୟକୁ ଇତିହାସରେ ଉଚିତ ସ୍ଥାନ ଦେବା ପାଇଁ ଶ୍ରୀ ଆଚାର୍ଯ୍ୟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟଙ୍କ ପରାମର୍ଶକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର