ସର୍ବଦଳୀୟ ବୈଠକରେ ଯୋଗଦେଲା ବିଜେଡି

ଅଚଳାବସ୍ଥା ଦୂର ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ବୈଠକ

ନୂଆଦିଲ୍ଲୀ : ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ଶାସକ ଓ ବିରୋଧୀଦଳମାନଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଓ ରାଜ୍ୟସଭା କାର୍ଯ୍ୟ ପ୍ରଭାବିତ ହୋଇଛି। ସଂସଦରେ ଜାରି ଅଚଳବସ୍ଥା ଦୂର କରିବାପାଇଁ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ପ୍ରୟାସ କରାଯାଉଛି। ଏହି କ୍ରମରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦ୍ବାରା ଆଜି ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକରେ ଶାସକ ଓ ବିରୋଧୀ ଦଳର ନେତାମାନେ ଯୋଗଦେଇଥିଲେ।

ବିଜୁ ଜନତା ଦଳ ରାଜ୍ୟସଭା ନେତା ସସ୍ମିତ ପାତ୍ର ସର୍ବଦଳୀୟ ବୈଠକରେ ‌ଯୋଗଦେଇଥିଲେ। ବିଜେଡିର ସମଦୂରତା ନୀତି ଆଧାରରେ ଡ. ପାତ୍ର କୌଣସି ମତାମତ ବୈଠକରେ ରଖିନଥିଲେ। ତେବେ ଶାସକ ଓ ବିରୋଧୀଦଳମାନେ ସେମାନଙ୍କ ଦାବି ଉପରେ ଅଟଳ ରହିଥିଲେ। ଯାହା ଫଳରେ ବୈଠକର ପ୍ରୟାସ ସଫଳ ହୋଇନଥିଲା। ଆଜି ମଧ୍ୟ ରାଜ୍ୟସଭାର ହଟ୍ଟଗୋଳ ଯୋଗୁଁ କୌଣସି କାର୍ଯ୍ୟ ହୋଇପାରି ନାହିଁ। ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ମଙ୍ଗଳବାର ଦିନ ଦୁଇ ଥର ସର୍ବଦଳୀୟ ବୈଠକ ଡକାଯାଇଥିଲା। ସେଦିନ ମଧ୍ୟ ବିଜେଡି ସର୍ବଦଳୀୟ ବୈଠକରେ ଯୋଗଦେଇଥିଲା। ଆଦାନି ଓ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗରେ ସଂସଦରେ ଜାରିରହିଥିବା ହଙ୍ଗାମା, ହଟ୍ଟଗୋଳ, ଧାରଣା ଓ ପ୍ରତିବାଦରୁ ବିଜେଡି ନିଜକୁ ଦୂରରେ ରଖିଛି। ସଦନର କାର୍ଯ୍ୟ ସୁରୁଖୁରୁରେ ଚାଲୁ ଓ ଓଡ଼ିଶାର ପ୍ରସଙ୍ଗଗୁଡ଼ିକ ଆଲୋଚନା ହେଉ, ଏହା ବିଜେଡି ଚାହୁଛି ବୋଲି ବିଜେଡି ରାଜ୍ୟସଭା ନେତା ଡ. ପାତ୍ର ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର