ଭୁବନେଶ୍ବର/ନୂଆଦିଲ୍ଲୀ : ସ୍ବାମୀନାଥନ୍ କମିଟି ସୁପାରିସ ପ୍ରସଙ୍ଗରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ର ସଠିକ୍ ତଥ୍ୟ ଦେଖି ଗୃହରେ ଉତ୍ତର ରଖନ୍ତୁ।

Advertisment

ରାଜ୍ୟସଭାରେ ଗୁରୁବାର ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ଏମିତି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହି ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂପର୍କିତ ଆଲୋଚନାରେ ଶୁକ୍ରବାର ଅର୍ଥାତ୍ ଆଜି ବିଜେଡି ମୁହଁତୋଡ଼ ଜବାବ ଦେଇଛି କେନ୍ଦ୍ରମନ୍ତ୍ରୀଙ୍କୁ, ପୁଣି ତାଙ୍କ ନାଁ ନେଇ। ସ୍ବାମୀନାଥନ୍ କମିଟି ରିପୋର୍ଟରେ ଥିବା ସୁପାରିସ ପଢ଼ି କେନ୍ଦ୍ର ସରକାର ଓ ଧର୍ମେନ୍ଦ୍ରଙ୍କୁ ବିଜେଡି ସାଂସଦ ଡଃ. ସସ୍ମିତ ପାତ୍ର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣର ଅଙ୍କ ପଢ଼ାଇଛନ୍ତି। କେବଳ ସେତିକି ନୁହେଁ, ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା ପଛରେ କେନ୍ଦ୍ର ସରକାରଙ୍କ ପେଞ୍ଚ ଉପରୁ ପରଦା ହଟାଇଛନ୍ତି।

ଏପଟେ ଗତକାଲି ସଂସଦରେ ଧର୍ମେନ୍ଦ୍ରଙ୍କ ଭାଷଣର ପ୍ରଭାବ ଓଡ଼ିଶା ରାଜନୀତିକୁ ଉଷ୍ମ କରିଦେଲାଣି। ବିଜେଡି କେବଳ ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କୁ ଘେରି ସନ୍ତୁଷ୍ଟ ରହିଛି, ତା’ ନୁହେଁ, ଆଉ ପାଦେ ଆଗକୁ ଯାଇ ରେଳ ବଜେଟ୍ ଅସନ୍ତୋଷ ପ୍ରକାଶ କରିବା ଆଳରେ ଭୁବନେଶ୍ବରରେ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ଓ ଜଣ ଜଣ କରି ବିଜେପି ସାଂସଦଙ୍କ ନାମ ନେଇ ପ୍ରଶ୍ନ ଉଠାଇଛନ୍ତି।

ଆଜି ରାଜ୍ୟସଭାରେ ଶ୍ରୀ ପାତ୍ର କହିଥିଲେ, ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଠିକ୍‌ ତଥ୍ୟ ସହ ବକ୍ତବ୍ୟ ଦେବା ନେଇ ପରାମର୍ଶ ଦେଇଛନ୍ତି। ସେ ଅନ୍ୟ ପ୍ରସଙ୍ଗ କହିବା ଲାଗି ସ୍ଥିର କରିଥିଲେ। ଯେହେତୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି, ତାହାକୁ ସେ ଗ୍ରହଣ କରିଛନ୍ତି ଓ କାହିଁକି ବିଜୁ ଜନତା ଦଳ କହୁଛି ସ୍ବାମୀନାଥନ ରିପୋର୍ଟ ଲାଗୁ କରିବା ପାଇଁ, ସେ ପ୍ରସଙ୍ଗରେ କେବଳ ବକ୍ତବ୍ୟ ରଖୁଛନ୍ତି।

ସସ୍ମିତ୍ ତାଙ୍କ ଭାଷଣ ଆରମ୍ଭ କରି କହିଥିଲେ, ସ୍ବାମୀନାଥନ୍‌ କମିସନଙ୍କ ରିପୋର୍ଟ ଅନୁସାରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଦେଢ଼ଗୁଣା ବୃଦ୍ଧି ଉଚିତ ରୂପେ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ତାଙ୍କ ଦଳର ହୃଦ୍‌ବୋଧ ହୋଇଛି। ଗତବର୍ଷ ଅକ୍ଟୋବରରେ ଏମ୍‌ଏସ୍‌ପି ସଂପର୍କରେ ସ୍ବାମୀନାଥନ୍‌ଙ୍କ ବକ୍ତବ୍ୟ ସେ ଉଦ୍ଧାର କରିଥିଲେ। ବାସ୍ତବକଥା ହେଲା, ସ୍ବାମୀନାଥନ୍ ଏ-୨ (A2) + ଏଫ୍‌ଏଲ୍ (FL) ଫର୍ମୁଲା କହିନଥିଲେ। ବରଂ ସି-୨ (C2) ଫର୍ମୁଲାରେ ଉତ୍ପାଦନ ଖର୍ଚ୍ଚ ନିର୍ଧାରଣ କଥା କୁହାଯାଇଥିଲା। ଅର୍ଥାତ୍ ସି-୨ ଫର୍ମୁଲା ଅନୁସାରେ ଉତ୍ପାଦନ ଖର୍ଚ୍ଚ ଧାର୍ଯ୍ୟ ହେବ ଓ ତାର ଦେଢଗୁଣାରେ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ ପାଇଁ ସ୍ବାମୀନାଥନ୍‌ ସୁପାରିସ କରିଥିଲେ।

ସସ୍ମିତ୍‌ ଆହୁରି କହିଥିଲେ, ଏ-୨ ମାନେ ଚାଷୀର ପକେଟ୍‌ ଖର୍ଚ୍ଚ ଅର୍ଥାତ୍ ବିହନ, ସାର, କୀଟନାଶକ ଦର ଏଥିରେ ସାମିଲ୍ ଥାଏ। ଏଫ୍‌ଏଲ୍ ଅର୍ଥାତ୍ ପରିବାରର ପାରିଶ୍ରମିକକୁ ଏଥିରେ ମିଶାଯାଇ ଚାଷର ଖର୍ଚ୍ଚ ହିସାବ ହୁଏ। କିନ୍ତୁ ସି-୨ ଫର୍ମୁଲା ହେଲା ଜମିର ମୂଲ୍ୟ, ଋଣ ଜନିତ ସୁଧ, ଜମି ବାବଦ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ଏଥିରେ ମିଶାଯାଏ। ସ୍ବାମୀନାଥନ୍‌ କମିଟି ତାଙ୍କ ରିପୋର୍ଟରେ ସି-୨କୁ ଆପଣାଇବା ପାଇଁ କହିଛନ୍ତି, ଯାହାକୁ ସରକାର ଗ୍ରହଣ କରିନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ସସ୍ମିତ ତାଙ୍କ ଭାଷଣରେ କମିସନ୍‌ ଅଫ୍‌ ଏଗ୍ରିକଲ୍‌ଚର କଷ୍ଟ ଆଣ୍ଡ ପ୍ରାଇସେସ୍‌ (ସିଏସିପି)ର ତଥ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଫି ବର୍ଷ ସିଏସିପି ପ୍ରତ୍ୟେକ କୃଷି ଜାତ ଦ୍ରବ୍ୟର ଉତ୍ପାଦକ ଦର ପ୍ରସ୍ତୁତ କରିଥାଏ। ସିଏସିପିର ୨୦୧୮-୧୯ର ତଥ୍ୟ ଉପସ୍ଥାପନ କରି ସସ୍ମିତ କହିଥିଲେ ଧାନକୁ ଉଦାହରଣ ନିଆଗଲେ, ସେହିବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ସି-୨ ଫର୍ମୁଲାରେ ୧୫୬୦ ଟଙ୍କା ହୋଇଥାନ୍ତା। ଯଦି କେନ୍ଦ୍ର ସରକାର ସ୍ବାମୀନାଥନ କମିସନ୍‌ଙ୍କ ସୁପାରିସକୁ ଗ୍ରହଣ କରି ଦେଢଗୁଣା ବୃଦ୍ଧି କରିଥାନ୍ତେ ତାହା ହେଲେ ଏହାର ମୂଲ୍ୟ ୨୩୪୦ଟଙ୍କା ଧାର୍ଯ୍ୟ କରିଥାନ୍ତେ। କିନ୍ତୁ ସେହିବର୍ଷ ସିଏସିପି ଧାନର ମୂଲ୍ୟ ଏ୨+ଏଫ୍‌ଏଲ୍ ଅନୁସାରେ ଧାର୍ଯ୍ୟ କରାଯାଇଥିଲା, ଯାହାର ସମୁଦାୟ ମୂଲ୍ୟ ୧୧୬୬ଟଙ୍କା। ଏହାର ଦେଢଗୁଣ ହେଉଛି ୧୭୪୯ଟଙ୍କା। ଏହି ହିସାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସେହି ବର୍ଷ କ୍ବିଣ୍ଟାଲ ପ୍ରତି ୧୭୫୦ ଟଙ୍କା କରାଯାଇଥିଲା। ଏହା ହିଁ ପ୍ରମାଣ କରୁଛି ଯେ ସମୁଦାୟ ଖର୍ଚ୍ଚ ବା C2 ଉପରେ ଦେଢଗୁଣା ଏମ୍‌ଏସ୍‌ପି ବୃଦ୍ଧି କରାଯିବା ନେଇ ସ୍ବାମୀନାଥନ କମିସନ୍‌ଙ୍କ କମିଟି ରିପୋର୍ଟର ସୁପାରିସକୁ କେନ୍ଦ୍ର ଗ୍ରହଣ କରିନାହିଁ।

ଏଇଥିପାଇଁ କୃଷକ କ୍ଷତି ସହୁଛି ବୋଲି ସସ୍ମିତ ଅଭିଯୋଗ ଆଣି ଆହୁରି କହିଥିଲେ, ଓଡିଶାର ବିଜେପି ବନ୍ଧୁମାନେ ଏକଥା ବୁଝିଛନ୍ତି। ୨୦୧୮ରେ ବିଜେଡି, ବିଜେପି, କଂଗ୍ରେସ ଓ କମ୍ୟୁନିଷ୍ଟର ବିଧାୟକମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କୁଇଣ୍ଟାଲ ୨୯୩୦ ଟଙ୍କା ନିର୍ଦ୍ଧାରଣ କରିବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପାରିତ କରିଥିଲେ। ବିଜେପିର ଓଡ଼ିଶା ନେତା ଓ ତାଙ୍କ କେନ୍ଦ୍ର ସରକାରର ଦ୍ବନ୍ଦ୍ବ ସଂପର୍କରେ ଟିପ୍ପଣୀ ରଖିଥିଲେ ସସ୍ମିତ୍।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ବରିଷ୍ଠ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସଠିକ ତଥ୍ୟ ଉପସ୍ଥାପନ କରିବା ସହିତ ଗୃହକୁ ଭ୍ରମିତ ନ କରିବାକୁ ଯେଉଁ ପରାମର୍ଶ ଦେଇଥିଲେ ତାହା ଉପରେ ବି ସସ୍ମିତ୍ ଆଜି ସଂସଦରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଗୃହ ଭ୍ରମିତ ହୋଇନାହିଁ, ଗୃହକୁ ଭ୍ରମିତ କରାଯାଇପାରିବ ନାହିଁ। ଯଦି ସ୍ବାମୀନାଥନ୍‌ କମିସନଙ୍କ ରିପୋର୍ଟ ସୁପାରିସ ସି-୨ ଆଧାରରେ ଲାଗୁ କରାଯିବ ତାହା ହେଲେ କୃଷକମାନଙ୍କୁ ଫାଇଦା ମିଳିପାରିବ।