ଦିଲ୍ଲୀରେ ଚାଷୀଙ୍କ ପାଇଁ ହକ୍ ମାଗିଲା ବିଜେଡି

ଦାୟିତ୍ବ ଖସାଇ ପାରିବନି କେନ୍ଦ୍ର: ନବୀନ ପଟ୍ଟନାୟକ, କେନ୍ଦ୍ର ବିରୋଧରେ ନେତାଙ୍କ ବିଷୋଦ୍‌ଗାର, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶ୍ରୁତି ଦେଇଥିଲା ଧାନର ଉତ୍ପାଦନ ମୂଲ୍ୟଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦେଢଗୁଣା କରାଯିବ। କ୍ଷମତାକୁ ଆସି ଭୁଲିଗଲେ। ଏପରିକି ଏ ସଂକ୍ରାନ୍ତରେ ଭେଟି ଆେଲାଚନା ଲାଗି ବି ପ୍ରଧାନମନ୍ତ୍ରୀ ସମୟ ଦେଲେନି।

ଏହି ପ୍ରସଙ୍ଗକୁ ନେଇ ଆଜି ନୂଆଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ଚାଷୀମାନଙ୍କୁ ଏକାଠି କରି ହକ୍ ମାଗିଛି ବିଜେଡି। ଅଧିକାର ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଚାଷୀର ଏହି ହକ୍ ପାଇଁ ବିେଜଡିର ଲଢେଇ ଜାରି ରହିବ। କେବଳ ସେତିକି ନୁହେଁ, ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ଦେବା ଛଳରେ ଆପତ୍ତି ଜଣାଇଛନ୍ତି ଓ ହସ୍ତକ୍ଷେପ ଲୋଡିଛନ୍ତି।

ଚାଷୀ ପ୍ରସଙ୍ଗକୁ ନିକଟରେ ତିନି ତିନିଟି ରାଜ୍ୟରେ ବିଜେପି କ୍ଷମତାରୁ ଯାଇଥିବା ବେଳେ ନିର୍ବାଚନ ବର୍ଷରେ ନୂଆଦିଲ୍ଲୀରେ ବିେଜଡିର ଏଭଳି କାର୍ଯ୍ୟକ୍ରମ ଆଜି ଜାତୀୟ ରାଜନୀତିରେ ପୁଣି ଥରେ ଏହି ପ୍ରସଙ୍ଗକୁ ତାଜା କରିଛି।

ଆଜି ତାଲକୋଟରା ଇନ୍‌ଡୋର ଷ୍ଟାଡିୟମ୍‌ରେ ହୋଇଥିବା କୃଷକ ଅଧିକାର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନବୀନ ଅଭିଯୋଗ କରିଥିଲେ ଯେ ଧାନର ଏମ୍‌ଏସ୍‌ପି ବୃଦ୍ଧି କରିବା ନେଇ ରାଜ୍ୟର କୃଷକଙ୍କ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି। ଚାଷୀର ହକ୍ ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ସେ ନିଜେ େକନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁେରାଧ କରିଛନ୍ତି। ଓଡ଼ିଶା ବିଧାନସଭାରେ ଏ ସଂକ୍ରାନ୍ତରେ ସବୁ ଦଳର ବିଧାୟକଙ୍କ ମଧ୍ୟରେ ସହମତି େହାଇଥିଲା। ବିଧାନସଭା କମିଟି େକନ୍ଦ୍ର ସରକାରଙ୍କୁ େଭଟିବାକୁ ଚାହିଁଥିଲା।

କିନ୍ତୁ କିଛି େହଲା ନାହିଁ। ଏଣୁ ଚାଷୀମାନଙ୍କୁ ଦିଲ୍ଲୀ ପର୍ଯ୍ୟନ୍ତ ଆସିବାକୁ ପଡ଼ିଲା।

ମୁଖ୍ୟମନ୍ତ୍ରୀ କହିଥିଲେ, ନିର୍ବାଚନ ସମୟରେ େଲାକଙ୍କୁ ଦିଆଯାଉଥିବା ପ୍ରତିଶ୍ରୁତି ଭୁଲିଯିବା ଉଚିତ ନୁହେଁ। କଦାପି ନୁହେଁ। ବିେଜପି କ୍ଷମତାକୁ ଆସିବା ପୂର୍ବରୁ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି କିନ୍ତୁ ଭୁଲିଯାଇଛି। ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା େକନ୍ଦ୍ର ସରକାରଙ୍କ ଦାୟିତ୍ବ। ସ୍ବାମୀନାଥନ୍ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ବି େକନ୍ଦ୍ରର ଦାୟିତ୍ବ। େକନ୍ଦ୍ର ସରକାର ଏଥିରୁ ଖସିଯାଇପାରିେବ ନାହିଁ।

ଚାଷୀ ଭାରତ ଅର୍ଥନୀତିର ଆତ୍ମା େବାଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେମାନଙ୍କର ଉନ୍ନତି ବିନା େଦଶର ଉନ୍ନତି େହାଇପାରିବ ନାହିଁ। ଚାଷୀଙ୍କ ପାଇଁ ଓଡ଼ିଶାର କାଳିଆ େଯାଜନା ସବୁଠାରୁ ଭଲ େଯାଜନା। ନିକଟରେ ରାଜ୍ୟମାନଙ୍କୁ ଆର୍ଥିକ ସ୍ବାଧୀନତା ପାଇଁ ଦାବି କରାଯାଇଛି। ଯଦି ଆମର ଆର୍ଥିକ ସ୍ବାଧୀନତା ଥାନ୍ତା, ତେବେ ଚାଷୀଙ୍କୁ ଦିଲ୍ଲୀ ଆସିବା ଦରକାର ପଡିନଥାନ୍ତା। ଆମେ ଆମର ପାଣ୍ଠିରୁ ଚାଷୀକୁ ତାର ହକ୍ େଦଇଥାନ୍ତୁ। ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା ହେଉଛି ଚାଷୀର ହକ୍। ଏହାକୁ କେହି ଚଡ଼ାଇ ପାରିବେ ନାହିଁ। ବିେଜଡି ଏହି ହକ୍ ପାଇଁ ସାଲିସ କରିବ ନାହିଁ େବାଲି ମୁଖ୍ୟମନ୍ତ୍ରୀ ରୋକଠୋକ ଜଣାଇଥିଲେ।

୫ ହଜାରରୁ ଅଧିକ ଚାଷୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥ କହି ତାଙ୍କ ଭାଷଣ ଆରମ୍ଭ କରିଥିଲେ। ବିଜେଡି ନେତାମାନେ ନିଜ ନିଜ ଭାଷଣରେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ୨୦୧୪ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ସହ ପ୍ରତାରଣା କରିଛନ୍ତି। ଧାନର ଏମ୍‌ଏସପି ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ଏକ ସ୍ବରରେ ଦାବି କରିଥିଲେ।

ବିଜୁ କୃଷକ ଜନତା ଦଳ ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ତଥା‌ଗତ ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀ, ପିନାକୀ ମିଶ୍ର, ବଳଭଦ୍ର ମାଝି, ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ନିରଂଜନ ପୂଜାରୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ମୀନତୀ ଦେବୀ, ସମୀର ଦାସ, ଅମର ଶତପଥୀ, ଉମେଶ ସାହୁ, ଏୟୁ ସିଂହ‌ଦେଓ ପ୍ରମୁଖ ଭାଷଣ ଦେଇ କେନ୍ଦ୍ର ସରକାରଙ୍କ ଚାଷୀ ଅବହେଳା ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ସନ୍ଧ୍ୟାରେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ତିନି ପୃଷ୍ଠାର ସ୍ମାରକପତ୍ରରେ କେବଳ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ରହିଛି। ସ୍ମାରକପତ୍ରରେ ଚାଷୀଙ୍କ ପାଇଁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁଥିବା ‘କାଳିଆ’ ଯୋଜନା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି। ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନର ଟାର୍ଗେଟକୁ ଓଡ଼ିଶା ପୂରଣ କରିଥିବା, ଏ ବାବଦରେ େହାଇଥିବା ବଡ଼ ବଜେଟ୍ ସଂପର୍କରେ ବି ବିେଜଡି ଦର୍ଶାଇଛି। ତା’ଛଡ଼ା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେଡି ଦାବି କରିଛି।

ସ୍ମାରକପତ୍ର ଦେବା ପାଇଁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ ରାଷ୍ଟ୍ରପତି ଭବନ ଯାଇଥିବା ୧୨ଜଣିଆ ଟିମରେ ଅନ୍ୟମାନଙ୍କ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜୁ କୃଷକ ଜନତାର ମହାସଚିବ ପ୍ରତାପ ଜେନା,ସାଂସଦ ଭର୍ତ୍ତୃହରି ମହତାବ, ତଥାଗତ ଶତପଥୀ, ରବୀନ୍ଦ୍ର ଜେନା, ଏନ୍ ଭାସ୍କର ରାଓ, ପ୍ରମିଳା ମଲ୍ଲିକ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁଙ୍କ ସମେତ ବୌଦ୍ଧର ଚାଷୀ ରମଣୀ ରଞ୍ଜନ ପ୍ରଧାନ ଓ ଜମନକିରାର ମହିଳା ଚାଷୀ ସିଗ୍ଧା ପଟେଲ ସାମିଲ ଥିଲେ।

ସମ୍ବନ୍ଧିତ ଖବର