ସର୍ବଦଳୀୟ ବୈଠକରେ ବିଜେଡିର ଦାବି: ମହିଳା ସଂରକ୍ଷଣ ବିଲ୍‌କୁ ଚଳିତ ଅଧିବେଶନରେ ପାରିତ କରାଯାଉ

ନୂଆଦିଲ୍ଲୀ : ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସଂସଦର ମୌସୁମୀ ଅଧିବେଶନରେ ସମୁଦାୟ ୧୮ ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଦନର କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ତଥା ଅଧିବେଶନରେ ବିଭିନ୍ନ ବିଲ ତଥା ସଂସଦୀୟ କାର୍ଯ୍ୟ ସଂପର୍କରେ ବିଚାରବିମର୍ଶ କରିବା ପାଇଁ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଥିଲା। ବୈଠକରେ ୨୮ ରାଜନୈତିକ ଦଳ ଯୋଗଦେଇଥିଲେ। ବୈଠକରେ ବିଜୁ ଜନତା ଦଳ ପକ୍ଷରୁ ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଯୋଗଦେଇଥିଲେ। ଚଳିତ ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ ପିନାକୀ ଜୋରଦାର ଦାବି ଉପସ୍ଥାପନ କରିଥିଲେ। ଅଧିବେଶନରେ ଆଲୋଚନା ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବିଧେୟକ ତାଲିକାରେ ମହିଳା ସଂରକ୍ଷଣ ବିଲ୍‌କୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ।

ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରି ଆସୁଛନ୍ତି। ଆଉ ବିଳମ୍ବ ନ କରି ଲୋକସଭାରେ ଏହି ବିଲକୁ ଗୃହୀତ କରାଯାଉ ବୋଲି ପିନାକୀ କହିଥିଲେ। ବିଜେଡି ପକ୍ଷରୁ ଓଡିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ ଆଣିବା ପାଇଁ ମଧ୍ୟ ଦାବି କରାଯାଇଥିଲା। ପିନାକୀ କହିଥିଲେ ଓଡିଶାରେ ବିଧାନ ପରିଷଦ ଗଠନ କରାଯିବା ନେଇ ସାମ୍ବିଧାନିକ ସଂଶୋଧନ ବିଲ ଅଣାଯିବା ଦରକାର। ବାରମ୍ବାର ବିଜେଡି ଏ ସଂପର୍କରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛି। କେନ୍ଦ୍ର ସରକାରଙ୍କୁ ଏ ଦିଗରେ ତତ୍ପରତା ପ୍ରର୍ଦଶନ କରିବା ପାଇଁ ଅନୁରୋଧ କରିଥିଲେ। ଏଥିସହିତ ରାଜ୍ୟ ସ୍ବାର୍ଥଜଡିତ ଅନ୍ୟାନ୍ୟ ପ୍ରସଙ୍ଗଗୁଡିକୁ ମଧ୍ୟ ଚଳିତ ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ।

ଗତକାଲି ବିଜେଡି ସଂସଦୀୟ ଦଳର ବୈଠକରେ ସଂସଦର ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ବାର୍ଥ ସଂପର୍କୀତ ପ୍ରସଙ୍ଗଗୁଡିକୁ ସଂସଦର ଉଭୟ ସଦନରେ ଉଠାଇବା ପାଇଁ ଗୁରୁମନ୍ତ୍ର ଦେବାପରେ ଏହାର ସ୍ପଷ୍ଟ ସଙ୍କେତ ମିଳିସାରିଛି। ତେବେ ଚଳିତ ଅଧିବେଶନରେ ମହିଳା ଆରକ୍ଷଣ ବିଲ ଓ ଓଡିଶା ବିଧାନସଭା ଗଠନ ସଂକ୍ରାନ୍ତ ବିଲ ଗୃହରେ ଆଗତ ହେବାର ସମ୍ଭାବନା କ୍ଷୀଣ ବୋଲି ସୁତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର