ଅଚଳାବସ୍ଥାକୁ ବିଜେଡିର ନାପସନ୍ଦ:ଉପସ୍ଥାପନ ହୋଇପାରୁନି ରାଜ୍ୟର ପ୍ରମୁଖ ପ୍ରସଙ୍ଗ

ନୂଆଦିଲ୍ଲୀ : ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ୧୬ଟି କାର୍ଯ୍ୟଦିବସ ବିରୋଧୀ ଦଳ ଗୁଡ଼ିକର ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା ଯୋଗୁଁ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଉଭୟ ଗୃହରେ ସ୍ୱାଭାବିକ ସ୍ଥିତି ଫେରି ପାରିନାହିଁ। ଅଚଳାବସ୍ଥା କେବେ ଦୂର ହେବ ସେନେଇ ବର୍ତ୍ତମାନ ସୁଦ୍ଧା ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେଡି ସାଂସଦମାନେ ଅଚଳାବସ୍ଥାକୁ ନେଇ ବିଷୋଦ୍‌ଗାର କରିଛନ୍ତି। ସଂସଦରେ ବିଭିନ୍ନ ବିରୋଧୀ ଦଳର ବିକ୍ଷୋଭ ତଥା ହୋହାଲ୍ଲା କରାଯାଉଥିବ ବେଳେ ବିଜେଡି ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଛି।

ବିଜେଡି ସଂସଦୀୟ ଦଳର ମୁଖପାତ୍ର କଳିକେଶ ନାରାୟଣ ସିଂହଦେଓଙ୍କ କହିବାନୁଯାୟୀ, ଅଚଳାବସ୍ଥା ଜାରି ରହିବା ତଥା ଗୃହ ମୁଲତବୀ ରହିବା ଯୋଗୁଁ ସେମାନେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ କୌଣସି ପ୍ରସଙ୍ଗ ଉପସ୍ଥାପନ କରିପାରୁନାହାନ୍ତି। ପ୍ରତି ମଙ୍ଗଳବାର ସଂସଦ ଭବନ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ସଂସଦୀୟ ଦଳର ବୈଠକ ବସି ପ୍ରସଙ୍ଗ ଉପସ୍ଥାପନ କରିବା ସମ୍ପର୍କରେ ନିଷ୍ପତ୍ତି ନିଆଯାଉଛି। ମାତ୍ର ଗୃହରେ ଅଚଳାବସ୍ଥା ଯୋଗୁଁ ସବୁକିଛି କାଗଜରେ ସୀମିତ ହୋଇ ରହିଯାଉଛି। ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ତ୍ୱରାନ୍ଵିତ ହେଲେ ମଧ୍ୟ ଛତିଶଗଡ଼ର ନିର୍ମାଣ ବନ୍ଦ ପାଇଁ ବିଜେଡି ସଂସଦରେ ମୁଲତବୀ ପ୍ରସ୍ତାବ ଆଣିବା ଯୋଜନା ରଖିଥିବା ବେଳେ ହଟ୍ଟଗୋଳ ସେଥିରେ ପ୍ରତିବନ୍ଧକ ସାଜୁଛି ବୋଲି ସାଂସଦ ବଳଭଦ୍ର ମାଝୀ କହିଥିଲେ। ଏତଦ୍‌ ବ୍ୟତୀତ ଉଭୟ ଗୃହରେ ପୋଲାଭରମ ପ୍ରସଙ୍ଗ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ସମଗ୍ର ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନ୍‌ ମଧ୍ୟରେ ରଖିବା, ଧାନର ଏମ୍‌ଏସପି ବୃଦ୍ଧି ଭଳି ପ୍ରସଙ୍ଗ ସଂସଦରେ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଗୃହରେ ସ୍ଥିତି ସ୍ୱାଭାବିକ ନଥିବା ଯୋଗୁଁ ବିଜେଡି ସେଥିରୁ ବଞ୍ଚିତ ହୋଇଥିବାରୁ ଅଧିକାଂଶ ସାଂସଦ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର