ରାଜ୍ୟସଭାରେ ପାରିତ ଦୁଇ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ପାରିତ ‘ଏୟାର୍‌ କ୍ବାଲିଟି ମ୍ୟାନେଜମେଣ୍ଟ୍‌ ଇନ୍‌ ଏନ୍‌ସିଆର ଆଣ୍ଡ୍‌ ଆଡଜଏନିଂ ଏରିଆସ୍ ବିଲ୍-୨୦୨୧’ ଓ ‘ଏସେନସିଆଲ୍‌ ଡିଫେନ୍ସ ସର୍ଭିସେସ୍ ବିଲ-୨୦୨୧’କୁ ବିଜେଡି ସମର୍ଥନ କରିଛି। ‘ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ ଇନ୍‌ ଏନସିଆର୍‌ ଆଣ୍ଡ୍‌ ଆଡଜଏନିଂ ଏରିଆସ୍ ବିଲ-୨୦୨୧’ର ଆଲୋଚନାରେ ଭାଗ ନେଇଥିଲେ ରାଜ୍ୟସଭା ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ।

ଆଲୋଚନାରେ ଶ୍ରୀ ଆଚାର୍ଯ୍ୟ କହିଲେ, ଏହି ବିଲ୍‌କୁ ସରକାର ଆଗରୁ ଆଣିବା ଦରକାର ଥିଲା। ବିଲ୍‌ରେ ଚାଷୀମାନଙ୍କ ପାଇଁ ଯେଉଁ ପେନାଲ୍ଟି ବ୍ୟବସ୍ଥା ରହିଛି ତାହାକୁ ସେ ବିରୋଧ କରୁଛନ୍ତି ବୋଲି କହିଥିଲେ। ନଡ଼ା ପୋଡ଼ିବା ପାଇଁ ଚାଷୀମାନଙ୍କ ଠାରୁ ପରିବେଶ କ୍ଷତିପୂରଣ ବାବଦରେ ବିଲ୍‌ରେ ରହିଥିବା ବ୍ୟବସ୍ଥାକୁ ସେ ବିରୋଧ କରିଥିଲେ। ବାୟୁର ଗୁଣବତ୍ତା ପ୍ରସଙ୍ଗରେ ନିଜ ମତ ରଖି ସେ କହିଥିଲେ, ଏହା କେବଳ ବୈଷୟିକ ପ୍ରସଙ୍ଗ ନୁହେଁ, ସାମାଜିକ ପ୍ରସଙ୍ଗ ମଧ୍ୟ। ଚାଷୀ ପ୍ରତିନିଧିମାନଙ୍କୁ ସାମିଲ କରିବା ବିଲ୍‌ରେ ବ୍ୟବସ୍ଥା ନଥିବା ନେଇ ସେ ପ୍ରଶ୍ନ କରିଥିଲେ। ସେହିଭଳି ରାଜ୍ୟସଭାରେ ଆଜି ପାରିତ ହୋଇଥିବା ଏସେନସିଆଲ୍‌ ଡିଫେନ୍ସ ସର୍ଭିସେସ୍ ବିଲ-୨୦୨୧କୁ ମଧ୍ୟ ବିଜେଡି ସମର୍ଥନ କରିଥିଲା । ବିଜେଡି ସାଂସଦ ସୁଜିତ କୁମାର ବିଲ୍‌ର ଆଲୋଚନାରେ ଭାଗନେଇ ଏହି ବିଲ ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହି ସମର୍ଥନ କରିଥିଲେ। ଅପରପକ୍ଷେ, ଆଜି ରାଜ୍ୟସଭାରେ ପାରିତ ହୋଇଥିବା ଅନୁସୂଚିତ ଜାତି ଆଦେଶ ସଂଶୋଧନ ବିଲ, ୨୦୨୧ର ଆଲୋଚନାରେ ବିଜେଡିର କୌଣସି ସାଂସଦ ଭାଗ ନେଇନଥିଲେ।

ସମ୍ବନ୍ଧିତ ଖବର