ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଇସିଙ୍କ ଦ୍ବାରସ୍ଥ ହେଲା ବିଜେଡି

ନୂଆଦିଲ୍ଲୀ : ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଛି। ସ୍ବଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ହେବା ପରିବର୍ତ୍ତେ ବିଜେପି ଦ୍ବାରା ଅଶାନ୍ତ ବାତାବରଣ ସୃଷ୍ଟି କରାଯାଉଛି। ଏ ସମ୍ପର୍କରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏହିଭଳି ଅଭିଯୋଗ ନେଇ ଆଜି ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ କମିସନ୍‌(ଇସି)ଙ୍କ ନିକଟରେ ଏକ ୭ ପୃଷ୍ଠା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥସହିତ, ଦଳ ଇସିଙ୍କ ହସ୍ତକ୍ଷେପ ଲୋଡ଼ିଛି। ବିଜେଡି ଜାତୀୟ ପ୍ରବକ୍ତା ଗିରିଧାରୀ ମହାନ୍ତି ଆଜି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ରରେ ବିଜେପି ଦ୍ବାରା ନିର୍ବାଚନୀ ହିଂସା ସଂକ୍ରାନ୍ତୀୟ ୧୪ଟି ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ଜଣାପଡ଼ିଛି।

ଏହିସବୁ ଘଟଣା ମଧ୍ୟରେ ରହିଛି। କେନ୍ଦୁଝରର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କର ସୋସିଆଲ ମିଡିଆରେ ପ୍ରସାରିତ ଅଶ୍ଳୀଳ ଭିଡିଓ। ଏଥିରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଥିବା ବିଜେଡି ଦାବି କରିଛି।

ଏଥିସହିତ, ସୋରଡ଼ାରେ ବିଜେପି ପ୍ରାର୍ଥୀ ନୀଳମଣି ବିଶୋଇଙ୍କ ଦ୍ବାରା ଇଭିଏମ ଭାଙ୍ଗିବା ଘଟଣାରେ ସମ୍ପୃକ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା ପୁଲିସ ଅଧିକାରୀମାନଙ୍କୁ ଫଟୋ ଉଠାଇବା ସମୟରେ ସେମାନଙ୍କୁ ଧମକାଇବା, ଫ୍ଲାଇଂ ସ୍କ୍ବାଡ୍‌ ଟିମ ଦ୍ବାରା ସମ୍ବଲପୁରରେ ବିମାନର ତଲାସୀ ନେବା ସମୟରେ ସେମାନଙ୍କ ସହିତ ପାଟିତୁଣ୍ଡ କରିବା ଓ ତଲାସୀରେ ସହଯୋଗ ନକରିବା, ଏପ୍ରିଲ ୧୮ରେ ବିଜେଡିର ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ଅଫିସ ଉପରେ ବିଜେପି କର୍ମଚାରୀଙ୍କ ଦ୍ବାରା ବୋମା ମାଡ଼, ଏପ୍ରିଲ ୧୮ କବିସୂର୍ଯ୍ୟ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି କର୍ମୀମାନେ ବିଜେଡିର ସମର୍ଥକଙ୍କୁ ବୋମା ମାଡ଼ କରିବା, ଚିକିଟି ବିଧାନସଭା ମଣ୍ଡଳୀରେ ୧୯ ବିଜେପି କର୍ମୀମାନଙ୍କ ଦ୍ବାରା ବିଜେଡି ସମର୍ଥକଙ୍କ ଉପରେ ଆକ୍ରମଣ ଘଟଣା ଅନ୍ତର୍ଭୁକ୍ତ।।

ଆହୁରି ମଧ୍ୟ, ୧୮ ଏପ୍ରିଲରେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି କର୍ମୀଙ୍କ ଦ୍ବାରା ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି। ହିଞ୍ଜିଳିର ବିଜେପି ବିଧାୟକ ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌କୁ ଧମକାଇବା ତଥା ସେରଗଡ଼ ପୁଲିସ ଷ୍ଟେସନରେ ପଶି ପୁଲିସ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର କରିବା ଘଟଣା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଏତଦ୍‌ବ୍ୟତୀତ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ୫୦ ଜଣ ସମର୍ଥକଙ୍କ ସହିତ ଉତ୍ତର ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ରକୁ ନାକଚ ପାଇଁ ଦାବି କରି ରିଟର୍ଣ୍ଣିଂ ଅଫିସରେ ପଶିଥିଲେ, ଯାହାକି ନିର୍ବାଚନ ଆଚରଣ ବିଧି ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରୁଛି ବୋଲି ବିଜେଡି ଦ୍ବାରା ଭାରତର ମୁଖ୍ୟ ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର