ରାଜ୍ୟସଭାରେ ଅସନ୍ତୋଷ ଝାଡ଼ିଲେ ବିଜେଡି ସାଂସଦ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନା

ନୁଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଏଥର ରାଜ୍ୟସଭାରେ ବିଜେଡିର ଚାରିଜଣ ସଦସ୍ୟ ଭାଗନେଇଛନ୍ତି। ଗତକାଲି ଦଳର ରାଜ୍ୟସଭା ନେତା ସସ୍ମିତ ପାତ୍ର ଆଲୋଚନାରେ ଭାଗ ନେଇଥିବାବେଳେ ଆଜି ମାନସ କୁମାର ମଙ୍ଗରାଜ, ନିରଞ୍ଜନ ବିଶି ଓ ସୁଲତା ଦେଓ ବିତର୍କରେ ଭାଗ ନେଇଥିଲେ। ଆଲୋଚନା ବେଳେ ତିନି ସାଂସଦ ଓଡ଼ିଶାର ବହୁ ଦାବିକୁ ଉପସ୍ଥାପନ କରିଥିଲେ।

ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ମଙ୍ଗରାଜ ଆଜି ପ୍ରଥମ ଥର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଥିଲେ। ସେ କହିଲେ ଯେ ରାଷ୍ଟ୍ରପତି ତାଙ୍କର ଅଭିଭାଷଣରେ ଦେଶର ଭିତ୍ତିଭୂମି ବିକାଶ ଓ ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିଛନ୍ତି। ଦେଶର ସାମଗ୍ରିକ ଅଭିବୃଦ୍ଧି ପାଇଁ ଭାରତର ଭିତ୍ତିଭୂମି ବିକାଶ ଓ ବିଶେଷ କରି ଓଡ଼ିଶାର ବିକାଶ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଭାରତର ଦ୍ରୁତଗାମୀ ଅଭିବୃଦ୍ଧି କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ। ତେବେ ଏହାର ବାସ୍ତବତା ସେତେବେଳେ ହୃଦୟଙ୍ଗମ ହୋଇପାରିବ ଯେତେବେଳେ କେନ୍ଦ୍ର ସରକାର ରାଜ୍ୟକୁ ଭିତ୍ତିଭୂମି ସହ‌ାୟତା ଓ ଆର୍ଥିକ ସମ୍ବଳ ପ୍ରଦାନ କରିବେ। ଓଡ଼ିଶାକୁ କେନ୍ଦ୍ରର ସହଯୋଗ ଓ ସମର୍ଥନ ନିହାତି ଆବଶ୍ୟକ। କୃଷି, ଶିଳ୍ପ, ସେବା କ୍ଷେତ୍ର ସହ ଜାତୀୟ ରାଜପଥ, ରେଳପଥ, ମୋବାଇଲ ସଂଯୋଗୀକରଣ, ଡିଜିଟାଲ କନେକ୍‌ଟିଭିଟି ଓ ବ୍ୟାଙ୍କିଂ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ରର ସହଯୋଗ ଜରୁରୀ। ଓଡ଼ିଶାରେ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉପକୂଳ ରାଜପଥ ପ୍ରକଳ୍ପ ଏବେ ଫାଇଲ ତଳେ ଚାପି ‌ହୋଇ ରହିଯାଇଛି। ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ଓ ବିକାଶକୁ ସୁନିଶ୍ଚିତ କରିବା ଆବଶ୍ୟକ। ଏସବୁର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କୁ ତତ୍ପରତା ପ୍ରଦର୍ଶନ କରିବାକୁ ପଡ଼ିବ।

ଭାଗନେଲେ ମାନସ ମଙ୍ଗରାଜ, ନିରଞ୍ଜନ, ସୁଲତା ଦେଓ

ଶ୍ରୀ ମଙ୍ଗରାଜ ଆହୁରି କହିଥିଲେ ଯେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ସଂପୂର୍ଣ୍ଣ ଅବହେଳା କରାଯାଉଛି। ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ପ୍ରଦାନ ସହ ନିର୍ମାଣ କାର୍ଯ୍ୟର ୫୦ ପ୍ରତିଶତ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ଏହା ସତ୍ତ୍ବେ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନକିରି ପ୍ରକଳ୍ପର କ୍ରିୟାନ୍ବୟନ ହୋଇପାରୁନାହିଁ। ପାରାଦୀପ-ହରିଦାସପୁର ମଧ୍ୟରେ ‌ମାଲବାହୀ ଟ୍ରେନ ଯାତାୟାତ କରୁଥିବା ବେଳେ ଯାତ୍ରୀବାହୀ ଟ୍ରେନ୍‌ ପାଇଁ ଅନୁମତି ମିଳିନାହିଁ। କେନ୍ଦ୍ରାପଡାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଏବେବି ପୂରଣ ହୋଇପାରିନାହିଁ। ପୁରୀ-କୋଣାର୍କ ୩୫ କିଲୋମିଟର ରେଳପଥ ପାଇଁ ଜମି ଓ ନିର୍ମାଣ ଖର୍ଚ୍ଚ ବାବଦକୁ ୫୦ ପ୍ରତିଶତ ବହନ କରିବାକୁ ଓଡ଼ିଶା ପ୍ରସ୍ତାବ ଦେଇଥିଲେ ମଧ୍ୟ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଏଥି ସହିତ ଜଳେଶ୍ବର- ଦୀଘା ପ୍ରକଳ୍ପ ମଧ୍ୟ ପଡ଼ିରହିଛି। ପୁରୀ, ଭଦ୍ରକ, ବ୍ରହ୍ମପୁର, କଟକ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, ରାୟଗଡ଼ା, ସମ୍ବଲପୁର, ବାଲେଶ୍ବର, ଝାରସୁଗୁଡ଼ା, ରାଉରକେଲା ଓ ଭୁବନେଶ୍ବର ଭଳି ଷ୍ଟେସନଗୁଡ଼ିକର ଆଧୁନିକୀକରଣ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନାହିଁ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ।

ସାଂସଦ ଶ୍ରୀ ବିଶି କହିଲେ ଯେ ଓଡ଼ିଶାର ୧୬୯ ଜନଜାତିଙ୍କୁ ଆଦିବାସୀ ମାନ୍ୟତା ମିଳୁ। ମାନ୍ୟତା ପ୍ରଦାନ କରାଯାଇନଥିବାରୁ ଏହି ସବୁ ବର୍ଗ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। କେନ୍ଦୁପତ୍ରରେ ୧୮ ପ୍ରତିଶତ ଜିଏସ୍‌ଟି ପ୍ରତ୍ୟାହାର କରାଯାଉ। ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏ ସଂପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆଦିବାସୀଙ୍କ ଜୀବିକା ଉପରେ ଏହା ପ୍ରଭାବ ପକାଉଛି। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଆଦିବାସୀ ଭାଷା ହୋ,ମୁଣ୍ଡାରି ଓ ଭୂମିଜକୁ ସାମିଲ କରାଯାଉ। ଆଦିବାସୀ ଉପଯୋଜନା ଓ କେବିକେ ପ୍ରକଳ୍ପଗୁଡ଼ିକୁ ପୁନଃ ଆରମ୍ଭ କରିବା ପାଇଁ ବଜେଟ ବ୍ୟବସ୍ଥା ହେଉ। ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶ ଏବଂ ବିଶ୍ବ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିବା ସହିତ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିଥିଲେ।

ବିଜେଡି ସାଂସଦ ସୁଲତା ଦେଓ ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଓଡ଼ିଆ କବି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ନାରୀ ଶକ୍ତି କବିତାର ଉଲ୍ଲେଖକୁ ନେଇ ପ୍ରଶଂସା କରିଥିଲେ। ଏହି ଅବସରରେ ସେ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଏଥି ସହିତ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ଏକାଧିକ ପଦକ୍ଷେପ ସଂପର୍କରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର