ବିଜେଡି ସାଂସଦଙ୍କ ବୈଠକ ଆଜି

ନୂଆଦିଲ୍ଲୀ : ମଙ୍ଗଳବାର ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କର ବୈଠକ ସଂସଦ ଭବନରେ ଥିବା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସପ୍ତଦଶ ଲୋକସଭାର ବଜେଟ୍‌ ଅଧିବେଶନ ପରିପ୍ରେକ୍ଷୀରେ ଗୃହର ରଣନୀତି ଓ ଗୃହ ପରିଚାଳନାକୁ ନେଇ ସାଂସଦମାନେ ଆଲୋଚନା କରିବେ। ବଜେଟ ଅଧିବେଶନରେ ସାଂସଦମାନଙ୍କ ଦ୍ବାରା ଉପସ୍ଥାପନ କରାଯିବାକୁ ଥିବା ଅନେକ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ବିଚାର ବିମର୍ଷ କରାଯିବାର ସମ୍ଭାବନା ରହିଛି। ସଂସଦ ଅଧିବେଶନ ସମୟରେ ବିଜେଡି ଦ୍ବାରା ପ୍ରତ୍ୟେକ ମଙ୍ଗଳବାର ଦିନ ସାଂସଦମାନଙ୍କର ବୈଠକ ଆୟୋଜନ କରାଯାଇଥାଏ। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ କହିବା ଅନୁସାରେ ଚଳିତ ଅଧିବେଶନରେ ବିଜେଡି ପକ୍ଷରୁ ଏକାଧିକ ପ୍ରସଙ୍ଗ ସଂସଦରେ ଉପସ୍ଥାପନ କରାଯିବ। ସବୁକିଛି ନିର୍ଭର କରିବ ୨୦ ତାରିଖର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ସରକାରଙ୍କ ଆଭିମୁଖ୍ୟ ନେଇ ଚର୍ଚ୍ଚା ହେଲା ବେଳେ ବିଜେଡି ପକ୍ଷରୁ ମତ ରଖାଯିବ। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିପାରନ୍ତି ବୋଲି ପିନାକୀ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶାର ଦାବିକୁ ନେଇ କେନ୍ଦ୍ର ସରକାର କ’ଣ ବ୍ୟବସ୍ଥା କରିବେ ତା’ ଉପରେ ଆମର ନଜର ରହିବ ବୋଲି ପିନାକୀ କହିଛନ୍ତି। ତେବେ ଗୋଟିଏ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ ବିଜେଡି ଦୃଢ଼ଭାବରେ ସମର୍ଥନ କରୁଛି ବୋଲି ସେ କହିଛନ୍ତି।। ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସମସ୍ତ ଦଳର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ପାଇଁ ଡକାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇପାରନ୍ତି ବୋଲି ପିନାକୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର