ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ ଏହାର ପ୍ରଶଂସା କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଏକ ବିଚକ୍ଷଣ ଯୋଜନା। ଦେଶର ସେବା କରିବା ପାଇଁ ଏହି ଯୋଜନା ସିଧାସଳଖ ଯୁବପିଢ଼ିଙ୍କ ପାଇଁ ସୁଯୋଗ ଆଣିଦେବ। ତେବେ ସହ ଏହି ଅଗ୍ନିବୀରମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲେ ଭଲ ହୁଅନ୍ତା ଏବଂ ସରକାରୀ ଚାକିରି ପାଇଁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବାକୁ ନିୟମ ହେବା ଉଚିତ ବୋଲି ସେ ମତ ରଖିଛନ୍ତି।
The #AgnipathScheme is brilliant as it gives an opportunity to the young of India to work directly for protecting the country. But would work better if #Agniveers are mandatorily given preference in jobs. For Govt jobs, this should be put in the Recruitment Rules.#VoiceOfOdisha
— Dr. Amar Patnaik (@Amar4Odisha) June 17, 2022
ସୂଚନାଯୋଗ୍ୟ,୨୨ବର୍ଷ ବୟସରେ ଚାକିରିରୁ ବିରତି ନେବା ବେଳେ ଅଗ୍ନିବୀରମାନଙ୍କ ହାତରେ ଥିବ ୧୨ ଲକ୍ଷ ଟଙ୍କାର ପାଣ୍ଠି ଏବଂ ନିଜ ସାଧ୍ୟମୁତାବକ ଯୋଗ୍ୟତାପତ୍ର। ପ୍ରତି ଚାରି ବର୍ଷରେ ୭୫% ବିରତି ନେବେ। ସେମାନଙ୍କ ଜାଗାରେ ନୂଆ ତରୁଣ ଯୋଗ ଦେବେ। ପୁଣି ସେମାନଙ୍କ ମଧ୍ୟରୁ ୭୫% ବିରତି ନେବେ। ବିରତି ନେଉଥିବା ଲୋକେ ବିଭିନ୍ନ ଚାକିରି କରିବେ, ସାଧାରଣଲୋକଙ୍କ ସହ ଜୀବନ ବଞ୍ଚିବେ। କିଛି ଘରୋଇ ଉଦ୍ୟୋଗ ଚାକିରିରେ ଏମାନଙ୍କୁ ଅଗ୍ରାଧିକାର ଦେବେ।
ସରକାର କହିଛନ୍ତି ଯେ ଅଗ୍ନିବୀର ଭାବେ ଚାରିବର୍ଷର ସେବା ପରେ ଯେଉଁମାନେ ଚାହିଁବେ ଛୋଟ ଛୋଟ ଉଦ୍ୟୋଗପତି ହୋଇପାରିବେ। ସେମାନଙ୍କୁ ଆର୍ଥିକ ପ୍ୟାକେଜ ସହ ବ୍ୟାଙ୍କ ଋଣ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ଅଧିକ ପାଠ ପଢ଼ିବାକୁ ଚାହିଁବେ ସେମାନଙ୍କୁ ୧୨ଶ (+୨) ଶ୍ରେଣୀର ସମକକ୍ଷ ପ୍ରମାଣପତ୍ର ମିଳିବ ଏବଂ ନୂଆ ପାଠ୍ୟକ୍ରମ ସହ ଖାପ ଖୁଆଇବା ପାଇଁ ସେମାନଙ୍କ ଲାଗି ଏକ ‘ବ୍ରିଜିଂ କୋର୍ସ’ ଉପଲବ୍ଧ କରାଯିବ। ଯେଉଁମାନେ ଦରମା ମିଳୁଥିବା ଚାକିରି କରିବାକୁ ଚାହିଁବେ ସେମାନଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଓ ରାଜ୍ୟ ପୁଲିସ ବିଭାଗ ନିଯୁକ୍ତିରେ ପ୍ରାଥମିକତା ମିଳିବ। ଅନ୍ୟାନ୍ୟ ଚାକିରି କ୍ଷେତ୍ରରେ ବି ସେମାନଙ୍କ ପାଇଁ ଦ୍ବାର ଖୋଲା ରହିବ। ଆଗମୀ ବର୍ଷମାନଙ୍କରେ ସେନାରେ ଅଗ୍ନିବୀରମାନଙ୍କ ନିଯୁକ୍ତି ବର୍ତ୍ତମାନ ତୁଳନାରେ ପ୍ରାୟ ତିନିଗୁଣ ବଢ଼ିଯିବ। ଅଗ୍ନିବୀରମାନଙ୍କ ମଧ୍ୟରେ ଯେଉଁମାନେ ଶ୍ରେଷ୍ଠ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ।
ସରକାର ଆହୁରି କହିଛନ୍ତି ଯେ ଏଭଳି ସ୍ବଳ୍ପକାଳୀନ ନିଯୁକ୍ତି ବ୍ୟବସ୍ଥା ଅନେକ ଦେଶରେ ରହିଛି। ତେଣୁ ଏ ବ୍ୟବସ୍ଥା ପୂର୍ବରୁ ପରୀକ୍ଷିତ ଏବଂ ଯୁବସୁଲଭ ଓ ଚଳଚଞ୍ଚଳ ସେନା ନିମନ୍ତେ ଏହାକୁ ଏକ ଉତ୍ତମ ପରମ୍ପରା ବୋଲି ବିଚାର କରାଯାଉଛି।
କିଛି ଲୋକ ଆଶଙ୍କା କରିଛନ୍ତି ଯେ ୨୧ ବର୍ଷର ଯୁବକ ଚାରିବର୍ଷ ସେନାରେ ଚାକିରି କଲା ପରେ ସଶସ୍ତ୍ର ତାଲିମ ନେଇ ଯେତେବେଳେ ଫେରିବ ସେତେବେଳେ ତାକୁ ଯଦି ଅନ୍ୟ ଚାକିରି ନ ମିଳେ ସେ ହତୋତ୍ସାହିତ ହେବେ ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦ ହୋଇପାରନ୍ତି। ଏହାର ଉତ୍ତରରେ ସରକାର କହିଛନ୍ତି ଯେ ଏପରି ଚିନ୍ତାଧାରା ଆମ ସଶସ୍ତ୍ର ସେନାର ନୈତିକତା ଓ ମୂଲ୍ୟବୋଧ ପ୍ରତି ଅପମାନ। ଯେଉଁମାନେ ଚାରିବର୍ଷ ୟୁନିଫର୍ମ ପିନ୍ଧିବେ ସେମାନେ ଆଜୀବନ ଦେଶ ପାଇଁ ପ୍ରତିବଦ୍ଧ ରହିବେ।