ନୂଆଦିଲ୍ଲୀ: ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଦଳୀୟ ପାଣ୍ଠିକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସାଂସଦ, ବିଧାୟକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଚିଠି ଲେଖି ପାଣ୍ଠି ପାଇଁ ନିବେଦନ କରାଯିବା ପରେ ଦଳର ସାଂସଦଙ୍କ ଦ୍ବାରା ପ୍ରତିମାସରେ ସଂସଦ ଭବନ‌ରେ ବିଜେଡି କାର୍ଯ୍ୟାଳୟରେ କାର୍ଯ୍ୟାଳୟ ପରିଚାଳନା ପାଇଁ ଜମା ହେଉଥିବା ଅର୍ଥରୁ ୩୦ ଲକ୍ଷ ଟଙ୍କା ଦଳୀୟ ପାଣ୍ଠି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସଂସଦ ଭବନରେ ବିଜେଡି କାର୍ଯ୍ୟାଳୟର ପରିଚାଳନା ପାଇଁ ପ୍ରତ୍ୟେକ ମାସରେ ସାଂସଦମାନେ ୩,୦୦୦ ଟଙ୍କା ଲେଖାଏଁ ଦେଇଥାନ୍ତି। ଏ ବାବଦରେ ସଂଗୃହୀତ ହୋଇଥିବା ୫୦ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କା ଦଳୀୟ ପାଣ୍ଠିକୁ ଦିଆଯିବ।