ଭୁବନେଶ୍ବର/ନୂଆଦିଲ୍ଲୀ : ରାଜ୍ୟଗୁଡ଼ିକୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର କ୍ଷମତା ଦେବା ପାଇଁ ସମ୍ବିଧାନ ସଂଶୋଧନ କରାଯାଇଛି। ଏହି ୧୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି। ଏହା ପରେ ଓବିସି ତାଲିକାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ବିଜେଡି ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ୫୦% ସଂରକ୍ଷଣ ସୀମା ହଟାଇବା ପାଇଁ ନୂଆ ଆଇନ୍ ଆଣିବାକୁ ଦାବି କରିଛନ୍ତି। ଜନଗଣନା ସହ ଜାତିଭିତ୍ତିକ ଗଣନା ପାଇଁ ପୁରୁଣା ଦାବି ଦୋହରାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଏହାର ଜବାବ ବି ଦେଇଛନ୍ତି। କେନ୍ଦ୍ର କୋର୍ଟକୁ ବଲ୍ ନ ଫିଙ୍ଗି ରାଜ୍ୟ ସରକାର ନିଜ ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ବୁଧବାର ବିଜେଡି ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ସଂସଦ ଭବନସ୍ଥିତ ଚାମ୍ବରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜଣାଇଥିଲେ ଯେ ଓଡ଼ିଶା ପରି ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ସଂରକ୍ଷଣକୁ ମିଶାଇଲେ ୩୯ ପ୍ରତିଶତରୁ ଅଧିକ ହେଉଛି। ସୁପ୍ରିମକୋର୍ଟ ସଂରକ୍ଷଣର ସର୍ବୋଚ୍ଚ ସୀମା ୫୦ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ଫଳରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କିପରି ଦିଆଯିବ? ଓଡ଼ିଶାରେ ମାତ୍ର ୧୧ ପ୍ରତିଶତ ଓବିସି ସଂରକ୍ଷଣର ଲାଭ ପାଇପାରିବେ। ବିଭିନ୍ନ ନ୍ୟାୟାଳୟ ଦ୍ବାରା ସମୟ ସମୟରେ ସଂରକ୍ଷଣ ସମ୍ପର୍କିତ ଦିଆଯାଇଥିବା ବିଭିନ୍ନ ରାୟକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରାଯିବାର ଆବଶ୍ୟକତା ରହିଛି ସାଂସଦମାନେ ଯୁକ୍ତି ଦର୍ଶାଇଥିଲେ। ଏ ଦିଗରେ ସମ୍ବିଧାନର ସଂଶୋଧନ କରାଯାଇ ତ୍ବରିତ କେନ୍ଦ୍ରୀୟ ଆଇନ ପ୍ରଣୟନ କରାଯିବାକୁ ସେମାନେ ଦାବି କରିଥିଲେ। ଜନଗଣନା ଫର୍ମାଟରେ ଏକ ଅତିରିକ୍ତ ସ୍ତମ୍ଭ ସଂଯୁକ୍ତ କରି କିମ୍ବା ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ପଛୁଆ ଶ୍ରେଣୀ(ଏସ୍ଇବିସି) ଏବଂ ଅନ୍ୟ ପଛୁଆ ବର୍ଗ(ଓବିସି) ଚିହ୍ନଟ ଓ ତାଲିକା ପ୍ରସ୍ତୁତ ପାଇଁ ଏକ ସ୍ବତନ୍ତ୍ର ଫର୍ମାଟ ସଂଲଗ୍ନ କରି ୨୦୨୧ ଜନଗଣନା କରାଯିବା ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
ଗୃହ ମନ୍ତ୍ରୀଙ୍କ ସହ ଏହି ବୈଠକ ସକରାତ୍ମକ ଥିଲା ବୋଲି ସାଂସଦମାନେ ଗଣମାଧ୍ୟମକୁ କହିଥିଲେ।
ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଅମର ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ଜାତିଭିତ୍ତିକ ଜନଗଣନା ଓ ୫୦% ସଂରକ୍ଷର ସୀମା ହଟାଇବା ପାଇଁ ଯୁକ୍ତି ଦର୍ଶାଇଥିଲେ। ଜାତିଭିତ୍ତିକ ଗଣନା ହେଲେ ଯେଉଁ କାରଣ ଦର୍ଶାଇ କୋର୍ଟ ଓବିସି ସଂରକ୍ଷଣ ଆଇନକୁ ଅସିଦ୍ଧ ଘୋଷଣା କରୁଛନ୍ତି ସେଥିରୁ ମୁକ୍ତି ମିଳିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।
ରାଜ୍ୟସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଂସଦଙ୍କୁ କାଉଣ୍ଟର୍ କରିବା ସହ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ଏହି ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ ଦେଇ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ଦାବି କରିବା ଅମୂଳକ। ଓଡ଼ିଶା ଏକମାତ୍ର ରାଜ୍ୟ ଯେ ସମ୍ଭବତଃ ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦେଇନାହିଁ । ତେଣୁ ଓଡିଶା ସରକାର ଷ୍ଟେଟ୍ ଲିଷ୍ଟ୍ ଆଧାରରେ ପଛୁଆ ଜାତିଙ୍କୁ ସଂରକ୍ଷଣ ଦିଅନ୍ତୁ। ରାଜ୍ୟ ସରକାର ସାଙ୍କେତିକ ଭାବରେ ଓବିସି ଓ ଏସ୍ଇବିସିଙ୍କୁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଖୋଦ୍ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଏ କଥା କହିଛନ୍ତି। ପରବର୍ତୀ ପର୍ଯ୍ୟାୟରେ ହାଇକୋର୍ଟରେ ଏହା ବିରୋଧରେ ଏକ ମାମଲା ଦାୟର ହୋଇଥିଲା ଏବଂ କୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ। ତେବେ ହାଇକୋର୍ଟଙ୍କ ରହିତାଦେଶ ବିରୋଧରେ ସୁପ୍ରିମକୋର୍ଟକୁ ଯିବା ପାଇଁ ରାଜ୍ୟ ସରକାରଙ୍କୁ କିଏ ମନା କରିଥିଲା?
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଇଙ୍ଗିତ କରି ଶ୍ରୀ ପ୍ରଧାନ କହିଥିଲେ, ୯୦ ଦଶକରେ ମଣ୍ଡଳ କମିସନ ଲାଗୁ ହେବା ସମୟରେ ବିଜେଡି ସାଂସଦ ସେତେବେଳେ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେହି ସମୟରେ ଓଡ଼ିଶା ଏକମାତ୍ର ରାଜ୍ୟ ଥିଲା ଯିଏକି ମଣ୍ଡଳ କମିସନ ଲାଗୁ ନ କରିବା ପାଇଁ ସୁପ୍ରିମକୋର୍ଟ ଆସିଥିଲା। ତେବେ ଆଜି ସେହି ଦଳର ପ୍ରତିନିଧି କହୁଛନ୍ତି ଆମେ ଓବିସି ଓ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ପ୍ରସ୍ତୁତ। ମାତ୍ର କେନ୍ଦ୍ର ଆମର ହାତ ବାନ୍ଧିଥିବା କଥା କହୁଛନ୍ତି। କେନ୍ଦ୍ର କୋର୍ଟରେ ବଲ୍ ଫିଙ୍ଗି ଓଡିଶା ସରକାର କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ରାଜ୍ୟରେ ଓବିସି ତାଲିକା ନ ଥିବାରୁ ସଂରକ୍ଷଣ ଦେଇ ନ ପାରିବା ତଥ୍ୟ ଆଧାରିତ ନୁହେଁ। ଅନେକ ରାଜ୍ୟ ୫୦ ପ୍ରତିଶତରୁ ସଂରକ୍ଷଣ ସୀମା ପାର୍ କରିସାରିଛନ୍ତି। ଓଡ଼ିଶାରେ ୫୨ ପ୍ରତିଶତ ପଛୁଆ ଜାତି ଥିବା ବେଳେ ତାଲିକା କାହିଁକି ନାହିଁ? ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଛନ୍ତି। ତେଣୁ କେନ୍ଦ୍ର ଉପରେ ରାଜ୍ୟ ସରକାର ଯେଉଁ ସଂରକ୍ଷଣ ପ୍ରସଙ୍ଗରେ ଦୋଷ ଲଦୁଛନ୍ତି ତାହା ତଥ୍ୟ ଆଧାରରେ ଅମୂଳକ।
ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାର ୨୦୨୧ ଜନଗଣନା ସମୟରେ ଜାତିଭିତ୍ତିକ ଗଣନା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ କେନ୍ଦ୍ର ତାହାକୁ ଗ୍ରହଣ କରି ନ ଥିଲା। ଜାତିଭିତ୍ତିକ ଗଣନା ହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ପଛୁଆ ବର୍ଗ କମିସନ୍ ଗଠନ କରିଥିଲେ। ଚଳିତ ବର୍ଷ ରାଜ୍ୟରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ନିଷ୍ପତ୍ତି ହୋଇଥିଲା। ମେ’ ୧ରୁ ସର୍ଭେ କରିବା ପାଇଁ ତାରିଖ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ କରୋନାର ଦ୍ବିତୀୟ ଲହର ପାଇଁ ସର୍ଭେ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏବେ ପଛୁଆ ବର୍ଗଙ୍କୁ ନେଇ ରାଜନୀତି ସରଗରମ ହୋଇଥିଲା ବେଳେ ସର୍ଭେ କାର୍ଯ୍ୟ କେବେ ଆରମ୍ଭ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।