ଓଡ଼ିଶା ଦାବି ମାନିଲେ ନାହିଁ ରେଳ ମନ୍ତ୍ରୀ

ରେଳମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ଓଡ଼ିଶା ପାଇଁ ଗୋଟିଏ ଜୋନ୍‌ ଦାବି

ନୂଆଦିଲ୍ଲୀ : ସମଗ୍ର ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନ୍‌ରେ ରଖିବା ଲାଗି ବିଜେଡିର ଦାବିକୁ ରେଳମନ୍ତ୍ରୀ ପୀୟୂଷ ଗୋଏଲ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଆଜି ରେଳମନ୍ତ୍ରୀଙ୍କୁ ତାଙ୍କ ସଂସଦ ଭବନ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଏହି ସୂଚନା ଦେଇଛନ୍ତି ବିଜେଡି ସଂସଦୀୟ ଦଳର ମୁଖପାତ୍ର କଳିକେଶ ନାରାୟଣ ଦେଓ।

ସେ କହିଲେ, ତିନିଟି ନୂଆ ରେଳ ଡିଭିଜନ ଖୋଲିବା ନେଇ ରାଜ୍ୟ ସରକାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦଅ ଶୁଣୁନି। ଆଗକୁ ଏହି ପ୍ରସଙ୍ଗରେ ବିଜେଡି ସାଂସଦମାନେ ସଂସଦ ଭିତରେ ଓ ବାହାରେ ପ୍ରତିବାଦ କରିବେ। ଝାରସୁଗୁଡ଼ା-ବାରାସୁଆନ୍‌-କିରୁବୁରୁ-ରାଉରକେଲା-ନୂଆଗାଁ ଓ ଝାରସୁଗୁଡ଼ା-ହିମଗିରି ସେକ୍ସନ୍‌ (ରାଉରକେଲା ଡିଭିଜନ୍‌) ବାନସ୍‌ପାନି ପାଦପାହାର-ରୁପ୍‌ସା-ବାଙ୍ଗିରିପୋଷୀ ଓ ଭଦ୍ରକ ଲକ୍ଷଣନାଥ ସେକ୍ସନ୍‌ (ଯାଜପୁର କେଉଁଝର ରୋଡ ଡିଭିଜନ) ଓ ନୂଆପଡ଼ା-ଗୁଣୁପୁର ସହିତ ପ୍ରସ୍ତାବିତ ସମ୍ପ୍ରସାରଣ ଥେରୁବାଲି-ରାୟଗଡ଼ା, ରାୟଗଡ଼ା-ଟିଟ୍‌ଲାଗଡ଼, ରାୟପୁର, କୋରାପୁଟ-ରାୟଗଡ଼ା, କୋରାପୁଟ-ଜୟପୁର-ଜଗ୍‌ଦଲପୁର-କିରାନ୍‌ଡୁଲ, ଲାଂଜିଗଡ଼ ରୋଡ୍‌-ଜୁନାଗଡ଼ ଏବଂ ପ୍ରସ୍ତାବିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ରେଲେଓ୍ଵ ଲାଇନ୍ସ (ରାୟଗଡ଼ା ଡିଭିଜନ୍‌)ରେ ତିନୋଟି ନୂଆ ରେଳପଥ ଡିଭିଜନ୍‌ କରିବାଲାଗି ବିଜେଡି ସାଂସଦମାନେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ତିନୋଟି ନୂଆ ଡିଭିଜନ କରିବାଦ୍ୱାରା ଯାତ୍ରୀ ଓ ମାଲ୍‌ ପରିବହନକୁ ନେଇ ରେଳବାଇ ଓଡ଼ିଶାବାସୀଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରିପାରିବ ତଥା ରେଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶୀଘ୍ର ତ୍ୱରାନ୍ଵିତ ହୋଇପାରିବ ବୋଲି ଆଲୋଚନା ସମୟରେ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଗୋଏଲଙ୍କୁ ଅବଗତ କରାଇଥିଲେ।

ଅନ୍ୟପକ୍ଷେ ସମ୍ବଲପୁର ଦେଇ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ ଦୈନିକ କରିବାପାଇଁ ମଧ୍ୟ ନିକଟରେ ସାଂସଦମାନେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବାବେଳେ ସେ ଏନେଇ ବିଚାର କରିବେ ବୋଲି ଆଶ୍ୱାସନା ଦେଇଥିବା ସାଂସଦମାନେ କହିଛନ୍ତି।

ସମ୍ବନ୍ଧିତ ଖବର