ନୂଆଦିଲ୍ଲୀ: ମହନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ବିଜେଡିି ଦ୍ୱାରା ଦିଆଯାଇଥିବା ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଉପରେ ଆଜି ଆଲୋଚନା ହୋଇପାରିଲା ନାହିଁ। ରାଜ୍ୟସଭାର କାର୍ଯ୍ୟସୂଚୀରେ ଏହି ପ୍ରସଙ୍ଗ ଆଲୋଚନା ପାଇଁ ଆଜି ସମୟ ଧାର୍ଯ୍ୟ କରାଯାଇଥିଲା। ଦିନ ୨ଟାରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରଫେସର ପି.ଜେ.କୁରିଆନ୍ ଆଲୋଚନା ଆରମ୍ଭ କରିବା ପାଇଁ ବିଜେଡି ସାଂସଦ ଅନଙ୍ଗ ଉଦୟ ସିଂଦେଓଙ୍କ ନାମ ପଢ଼ିଥିଲେ। ତେବେ ଗୃହରେ ମହାରାଷ୍ଟ୍ର ହିଂସାକୁ ନେଇ ପ୍ରବଳ ହୋହଲ୍ଲା ଜାରି ରହିବାରୁ ଏ ବାବଦ ଆଲୋଚନା ଆଗକୁ ବଢ଼ି ପାରିଲା ନାହିଁ। ଏଭଳି ସ୍ଥିତିକୁ ଦେଖି ରାଜ୍ୟସଭା ଉପାଧ୍ୟକ୍ଷ ଗୃହକୁ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ। ଏହାପରେ ତିନି ତଲାକ୍ ବିଲ୍କୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। ବିଜେଡ଼ିର ଦୁଇଜଣ ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ ଅନୁଭବ ମହାନ୍ତି ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ଭେଟି ଗୁରୁବାରର କାର୍ଯ୍ୟସୂଚୀରେ ଏହି ମାମଲାକୁ ସାମିଲ କରିବା ପାଇଁ ନୋଟିସ୍ ଦେଇଥିଲେ। ତେବେ ଏହି ମାମଲାକୁ ଗୁରୁବାରର କାର୍ଯ୍ୟସୂଚୀରେ ସାମିଲ କରାଯିବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟରୂପେ ଜଣାପଡ଼ିନାହିଁ। ଶୀତକାଳୀନ ଅଧିବେସନ ଜାନୁଆରି ୫ ତାରିଖରେ ଶେଷ ହେଉଥିବାରୁ ବିଜେଡ଼ି ପକ୍ଷରୁ ଆଲୋଚନା ପାଇଁ ଅନୁମତି ଦେବା ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ପୁଣିଥରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଆଜି ଦଳ ପାଖରେ ସୁଯୋଗ ଥିଲା କିନ୍ତୁ ଦୁର୍ଭାଗ୍ୟକୁ ଗୃହ ମୁଲତବୀ ଯୋଗୁଁ ଆଲୋଚନା ହୋଇପାରିଲା ନାହିଁ, କିନ୍ତୁ ଅତିଶୀଘ୍ର ଏନେଇ ଆଲୋଚନା ହେବ ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଶାବ୍ୟକ୍ତ କରିଛନ୍ତି। ଆଜିର ଆଲୋଚନା ପାଇଁ ପାଖାପାଖି ୪୫ ମିନିଟ ଧାର୍ଯ୍ୟ କରାଯାଇଥିଲା ବେଳେ ବିଜେଡ଼ି ପକ୍ଷରୁ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂ ଦେଓ ,କଂଗ୍ରେସ ପକ୍ଷରୁ ରଞ୍ଜୀବ ବିଶ୍ୱାଳ ତଥା ଅନ୍ୟ ଦଳର କିଛି ନେତାଙ୍କ ନାମ ସାମିଲ କରାଯାଇଥିଲା ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବର ଜବାବ୍ ଦେବା ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଉପସ୍ଥିତ ଥିଲେ।
ଅପରପକ୍ଷେ ଗୁରୁବାର ଲୋକସଭାର ପ୍ରଶ୍ନକାଳରେ ଏହି ମାମଲାରେ କେନ୍ଦ୍ର ସରକାର ମଧ୍ୟ ଜବାବ୍ ରଖିପାରନ୍ତି ବୋଲି ଅନୁମାନ କରାଯାଉଛି। ଗୁରୁବାର ପ୍ରଶ୍ନକାଳରେ ବିଜେଡ଼ି ସାଂସଦ ନଗେନ୍ଦ୍ର ପ୍ରଧାନ ଓ କଳିକେଶ ନାରାୟଣ ସିଂ ଦେଓଙ୍କ ଦ୍ୱାରା ପଚରାଯାଇଥିବା ତିନିଟି ପ୍ରଶ୍ନର ଲିଖିତ ଉତ୍ତର କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଗୃହରେ ଉପସ୍ଥାପନ କରାଯିବ। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ଦ୍ୱାରା ଛଅଟି ବ୍ୟାରେଜ ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରୁ ଅନୁମତି ଦିଆଯାଇଛି କି ନାହିଁ, ଛତିଶଗଡ଼ ଦ୍ୱାରା ମହାନଦୀ ରିଭର ବେସିନ୍ର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସମୟରେ ରାଜ୍ୟର ଦାବିକୁ ଗ୍ରହଣ କରାଯାଇଛି କି ନାହିଁ, ଛତିଶଗଡ଼ ଦ୍ୱାରା ଓଡ଼ିଶାକୁ ମହାନଦୀର ତଳମୁଣ୍ଡରେ ଅତ୍ୟଧିକ ବନ୍ୟାଜଳକୁ ଛାଡିବା ପାଇଁ କିଛି ପ୍ରସ୍ତାବ ଅଛି କି ନାହିଁ ସେ ବାବଦରେ ପ୍ରଶ୍ନ କରାଯାଇଛି । ମହାନଦୀର ଜୈବ ବିବିଧତା ସମ୍ପର୍କରେ ମଧ୍ୟ ପ୍ରଶ୍ନ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ସମ୍ପର୍କରେ ରେ ସମ୍ଭବତଃ ଗୁରୁବାର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/mahanadi-naveen-patnaik-759.jpg)