ରାଜ୍ୟସଭାରେ ବିଜେଡି ଉଠାଇଲା ବକେୟା ସବ୍‌ସିଡି, ଏଫ୍‌ସିଆଇ ପ୍ରସଙ୍ଗ

ନୂଆଦିଲ୍ଲୀ : ରାଜ୍ୟରେ ଧାନକିଣା ବାବଦରେ ବକେୟା ଗଡୁଥିବା ସମୁଦାୟ ୭୩୦୦ କୋଟି ଟଙ୍କା ତୁରନ୍ତ କେନ୍ଦ୍ର ଦେଉ ବୋଲି ସୋମବାର ରାଜ୍ୟସଭାରେ ସାଂସଦ ଡ. ଅମର ପଟ୍ଟନାୟକ ସ୍ପେଶାଲ୍‌ ମେନ୍‌ସନ୍‌ ଜରିଆରେ ପ୍ରସଙ୍ଗ ଉପସ୍ଥାପନ କରିଥିଲେ।

ଏଫ୍‌ସିଆଇ ତରଫରୁ ବିକେନ୍ଦ୍ରୀକରଣ ଧାନବିକା କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଶା ରାଜ୍ୟ ସିଭିଲ ସପ୍ଲାଇସ୍‌ କର୍ପୋରେସନ୍‌ (ଓଏସସିଏସସି) ୧୫,୦୦୦ କୋଟି ଟଙ୍କା ଋଣ ନେଇଥିବା ବେଳେ ବକେୟା ପଡିରହିଥିବା ୭୩୦୦ କୋଟି ଟଙ୍କା ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପଇଠ କରିନାହାନ୍ତି। ଫଳରେ ଧାନ ସଂଗ୍ରହରେ ଓଡିଶା ସରକାର ସମସ୍ୟାରେ ପଡିଛନ୍ତି। ବକେୟା ସବ୍‌ସିଡି ଶୀଘ୍ର ପ୍ରଦାନ କରିବା ପାଇଁ ସାଂସଦ ପଟ୍ଟନାୟକ ଦାବି କରିଛନ୍ତି। ଏତଦ୍‌ବ୍ୟତୀତ କେନ୍ଦ୍ର ସରକାର ଏଫ୍‌ସିଆଇକୁ ରାଜ୍ୟରୁ ଯେଉଁ ୫୦ ପ୍ରତିଶତ ଉଷୁନା ଚାଉଳ କିଣିବା ନେଇ ସିଲିଂ ଧାର୍ଯ୍ୟ କରିଛି ତଥା ରବି ଋତୁରେ ବଳକା ଉଷୁନା ଚାଉଳକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛି ସେ ପ୍ରସଙ୍ଗରେ ଡ. ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ବିଜେଡି ସାଂସଦମାନେ କେନ୍ଦ୍ର ଖାଦ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ବେଳେ, ଏଫ୍‌ସିଆଇର ପ୍ରତିବନ୍ଧକକୁ ସ୍ଥାୟୀଭାବେ ସମାଧାନ କରିବା ପାଇଁ ଆଜି ପୁଣିଥରେ ଡ. ପଟ୍ଟନାୟକ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର