ନୂଆଦିଲ୍ଲୀ: ପୋଲାଭରମ୍ ପ୍ରକଳ୍ପକୁ ନେଇ ଓଡ଼ିଶାର ଯେଉଁସବୁ ଆପତ୍ତି ରହିଛି ସେ ସଂପର୍କରେ କେନ୍ଦ୍ର ସରକାରଙ୍କର କୌଣସି ସ୍ପଷ୍ଟତା ନାହିଁ। ଏହା ଦ୍ବାରା ମାଲାକାନଗିରି ଜିଲ୍ଲା ତଥା ଆଦିବାସୀ ପ୍ରଭାବିତ ହେବେ। ପ୍ରକଳ୍ପ ପାଇଁ ଓଡ଼ିଶାର କେତେ କ୍ଷତି ହେବ ସେ ସଂପର୍କରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ କୌଣସି ତଥ୍ୟ ନାହିଁ। ଓଡ଼ିଶାର ଆପତ୍ତି ଓ ଆଶଙ୍କା ଦୂର ହେବା ପର୍ଯ୍ୟନ୍ତ ପୋଲାଭରମ୍ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରାଯାଉ। ବିଜେଡି ପୋଲାଭରମ୍ ଟିମ୍ର ତିନିଦିନିଆ ଦିଲ୍ଲୀ ଗସ୍ତ ପରେ ସ୍ଥାନୀୟ କନ୍ଷ୍ଟିଚ୍ୟୁସନ୍ କ୍ଲବ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି।
ଟିମ୍ର ସୂଚନା ହେଲା, ଆଜି ପ୍ରକଳ୍ପ ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ତଥା ଓଡ଼ିଶାର ବିଭିନ୍ନ ଆପତ୍ତି ସଂପର୍କରେ ଆଲୋଚନା କରାଯାଇଥିଲା। ପଛୁଆ ଜଳ ସମସ୍ୟା, ପ୍ରକଳ୍ପର କାର୍ଯ୍ୟକାରିତାରେ କେତେ ହେକ୍ଟର ଜମି ଜଳମଗ୍ନ ହେବ, କେତେ ସଂଖ୍ୟକ ଆଦିବାସୀ ବିସ୍ଥାପିତ ହେବସେ ନେଇ କିଛି ଅଧ୍ୟୟନ କରାଯାଇଛି କି? ଏଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସଂପୂର୍ଣ୍ଣ ନିରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। କୌଣସି ବୈଧାନିକ ମଞ୍ଜୁରୀ ନଥାଇ ତଥା ଜନଶୁଣାଣି କରାନଯାଇ ପ୍ରକଳ୍ପ କାର୍ଯ୍ୟକୁ କ୍ରିୟାନ୍ବୟନ କରିବା ପାଇଁ ଅନୁମତି ଦିଆଯାଇଛି। ଏପରିକି କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖାଯାଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଦ୍ବାରା ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦିଆଯାଉଛି, ଯାହା ପରିତାପର ବିଷୟ ବୋଲି ଟିମ୍ର ସଦସ୍ୟମାନେ କହିଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପକ୍ଷଭୁକ୍ତ ରାଜ୍ୟମାନଙ୍କ ମଧ୍ୟରେ ହୋଇଥିବା ବୈଠକଗୁଡ଼ିକରେ ସମାଧାନ ପାଇଁ କ’ଣ ସବୁ ଆଲୋଚନା ହେଲା ତାହାର କୌଣସି ଉତ୍ତର ମିଳିଲାନାହିଁ। ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ସଂପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି। ଏହାକୁ ଓଡ଼ିଶା ବିରୋଧ କରୁନାହିଁ, କିନ୍ତୁ ପ୍ରକଳ୍ପ ଯୋଗୁ ଓଡ଼ିଶାର କ୍ଷତିକୁ ଆଦୌ ବରଦାସ୍ତ କରାଯିବ ନାହିଁ। ପୋଲାଭରମ ପ୍ରସଙ୍ଗରେ ଓଡିଶା ପ୍ରତି ଯଦି ନ୍ୟାୟ ନ ହୁଏ, ତାହାହେଲେ ଓଡ଼ିଶାବାସୀ ଆନ୍ଦୋଳନ ପାଇଁ ବାଧ୍ୟ ହେବେ। ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ। ବିଜେଡି ଟିମ୍ ଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗର ସଚିବ, ଜାତୀୟ ଜନଜାତି ଆୟୋଗ କମିସନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସଚିବଙ୍କୁ ଭେଟି ପୋଲାଭରମ୍ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ହଜାରହଜାର ଆଦିବାସୀ ପ୍ରଭାବିତ ହେବେ ବୋଲି ଯୁକ୍ତି ଉପସ୍ଥାପନ କରାଯିବା ସହିତ ମାମଲାର ଆଶୁ ସମାଧାନ ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦିଲ୍ଲୀ ଗସ୍ତ ରିପୋର୍ଟ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ। ତଦନୁସାରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ରମେଶ ମାଝୀ, ବିଜେଡି ନେତା ଭୃଗୁ ବକ୍ସିପାତ୍ର ସମ୍ବୋଧନ କରିଥିଲେ।