ସଂସଦର ଲୋକସଭାରେ ଶୂନ୍ୟକାଳରେ ବିଜେଡି ଉଠାଇଲା ବୈଜୟନ୍ତଙ୍କ ମନି ଲଣ୍ଡରିଂ ପ୍ରସଙ୍ଗ!

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମନି ଲଣ୍ଡରିଂ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଜେଡି ଲୋକସଭାରେ ଉଠାଇଛି ଏହି ପ୍ରସଙ୍ଗ। ବୈଜୟନ୍ତଙ୍କ ମନି ଲଣ୍ଡରିଂ ମାମଲାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆଜି ଶୂନ୍ୟ କାଳରେ କେତେକ ପ୍ରଶ୍ନ କରିଛନ୍ତି। ପୂର୍ବତନ ସାଂସଦ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ନେଇ ଏହି ପ୍ରଶ୍ନ ଉଠିଛି।

ଭର୍ତ୍ତୃହରି କହିଛନ୍ତି, ଭାରତୀୟ ପାସର୍ପୋଟ ରଖିଥିବା ବୈଜୟନ୍ତ ପଣ୍ଡା ବାହାମାସରେ ଆକାଉଣ୍ଟ ଖୋଲିବା ପୂର୍ବରୁ ଆରବିଆଇର ଅନୁମତି ନେଇଥିଲେ କି? ଭର୍ତ୍ତୃହରି କହିଛନ୍ତି, ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ ଫେରିବା ପରେ ସେ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? କାରଣ ଆଇନ ଅନୁସାରେ ଏହା ନିତ୍ୟନ୍ତ ଆବଶ୍ୟକ।

ଶୂନ୍ୟକାଳରେ ପ୍ରଶ୍ନ ଉଠାଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଆହୁରି ପଚାରିଥିଲେ, ଯେ ବାହାମାସରେ ଆକାଉଣ୍ଟ ବନ୍ଦ କରିବା ବେଳେ ବୈଜୟନ୍ତ ଆରବିଆଇକୁ ଏ ବିଷୟରେ ସୂଚନା ଦେଇଥିଲେ କି ? ଭାରତୀୟ ଆଇନ ଅନୁସାରେ ବିଦେଶରେ ଆକାଉଣ୍ଟ ବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା। ବୈଜୟନ୍ତ ପଣ୍ଡା ବାହାମାସ ଆକାଉଣ୍ଟର ଟଙ୍କାକୁ ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି।

ଯଦି ଆଇନର ଏସବୁ ସର୍ତ୍ତାବଳୀକୁ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ ବୋଲି ବିଜେଡି ସାଂସଦ ଯୁକ୍ତି ବାଢିଛନ୍ତି। ଏହାଛଡା ଫରେନ ଏକ୍ସଚେଂଜ ଆଇନ ଉଲ୍ଲଂଘନ ଓ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଦରକାର ବୋଲି ବିଜେଡି ଲୋକସଭାରେ କହିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ କିଛି ଦିନ ପୂର୍ବରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗ ନିକଟରେ ଏକ ଗମ୍ଭୀର ଅଭିଯୋଗ ହୋଇଥିଲା। ବୈଜୟନ୍ତ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂକୁ ନେଇ ଏହି ଅଭିଯୋଗ ଆସିଥିଲା। ଜାନୁଆରିରେ ହୋଇଥିବା ଅଭିଯୋଗ ଅନୁସାରେ ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ଏମାନେ ଉଲ୍ଲଂଘନ କରିଥିଲେ। ମିଛ କମ୍ପାନି ଗଠନ କରି ସେମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଥିଲେ। କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ ମୂଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଥିଲା। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର