ନୂଆଦିଲ୍ଲୀ: ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବେଳେ ବିଜୁ ଜନତା ଦଳ ଦ୍ୱାରା ରାଜ୍ୟ ସ୍ୱାର୍ଥ ସଂପର୍କିତ ଏକାଧିକ ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ଗତ ଶୀତକାଳୀନ ଅଧିବେଶନରେ ଯେଉଁଭଳି ଭାବେ ମହାନଦୀ ଜଳବିବାଦ ଓ ପୋଲଭରମ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା ସେଗୁଡ଼ିକୁ ପୁଣିଥରେ ବଜେଟ୍ ଅଧିବେଶନରେ ଉଠାଯିବ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେବାପରେ ମଧ୍ୟ ଛତିଶଗଡ଼ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହି କାର୍ଯ୍ୟ ବନ୍ଦ କରବା ପାଇଁ ବିଜେଡି ସାଂସଦମାନେ ପୁଣିଥରେ ଜୋର୍ଦାର ଦାବି କରିବେ ବୋଲି କୁହାଯାଉଛି । ଛତିଶଗଡ଼କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କେନ୍ଦ୍ର ସରକାର ସହଯୋଗ କରୁଥିବା ଅଭିଯୋଗ କରି ବିଜେଡି ସଂସଦରେ ତାହାର ବିରୋଧ ଜାରି ରଖିବ ବୋଲି ଜଣାପଡ଼ିଛି । ପୋଲାଭରମ ପ୍ରକଳ୍ପ ବାବଦରେ ବିଜେଡି ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ। ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ସାହାଯ୍ୟ ଓ ସହଯୋଗ ଜାରି ରଖିଥିବା ବେଳେ ଓଡ଼ିଶାର ଆପତ୍ତି ଓ ଅଭିଯୋଗକୁ ନେଇ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନାହିଁ। ଏ ନେଇ ବିଜେଡି ସଂସଦର ଉଭୟ ଗୃହରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ। କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟର ମୁକାବିଲା ପାଇଁ ବିଜେଡି ସମଭାବାପନ୍ନ ଦଳଗୁଡ଼ିକର ସହଯୋଗ ମଧ୍ୟ ଲୋଡ଼ିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍୍ଏସ୍ପି) ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିବାରୁ ଏ ନେଇ ଚଳିତ ବଜେଟ୍ ଅଧିବେଶନରେ ବିଜେପି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ। ଚାଷୀମାନଙ୍କ ପାଇଁ ଅଧିକ ସହାୟତା ଦିଆଯିବାକୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରାଯିବ। ଓଡ଼ିଶାରେ ଚାଲୁଥିବା କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକରେ ଅନୁଦାନ ହ୍ରାସ କରିବା ପ୍ରସଙ୍ଗ, କୋଇଲା ସଂପଦ ପୂର୍ଣ୍ଣ ରାଜ୍ୟଗୁଡ଼ିକୁ ଅଧିକ ଟିକସ ପ୍ରଦାନ, କୋଇଲା ରୟାଲଟି ସଂଶୋଧନ ଦାବି, ଅସଂପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଆବଶ୍ୟକ ବ୍ୟୟ ବରାଦ ବ୍ୟବସ୍ଥା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଙ୍ଗ ମଧ୍ୟ ଚଳିତ ବଜେଟ୍୍ ଅଧିବେଶନରେ ବିଜେଡି ଦ୍ୱାରା ଉପସ୍ଥାପନ କରାଯିବା ସମ୍ଭାବନା ରହିଛି । ତିନି ତଲାକ ଭଳି ଚର୍ଚ୍ଚିତ ପ୍ରସଙ୍ଗରେ ରାଜ୍ୟସଭାରେ ବିଜେଡିର ପୂର୍ବ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶାର ପ୍ରସଙ୍ଗକୁ ଏଥର ସଂସଦରେ ଜୋର୍ଦାର ଉପସ୍ଥାପନ ପାଇଁ ବିଜେଡି ରଣନୀତି ତୟାର କରିଛି।
ରାଜ୍ୟ ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗ ଉଠାଇବ ବିଜେଡି
ବଜେଟ୍ ଅଧିବେଶନ
/sambad/media/post_attachments/wp-content/uploads/2018/01/winter-session-of-parliament_1513919716.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)