ରାଜ୍ୟସଭା ଅଧିବେଶନ ବେଳେ ବିଜେଡି ଭୂମିକା : ୨୪ଟି ବିଲ୍‌କୁ କରିଥିଲା ସମର୍ଥନ, କୃଷି ବିଲ୍‌କୁ ବିରୋଧ କରି ଚର୍ଚ୍ଚାରେ ରହିଥିଲା

ନୂଆଦିଲ୍ଲୀ, (ନଇମ୍ ଅଖ୍‌ତାର): କୋଭିଡ୍ ସଂକ୍ରମଣ ବଢିବାରୁ ରାଜ୍ୟସଭାର ଅଧିବେଶନକୁ ୯ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି। ଏହି ଅଧିବେଶନ କାଳରେ କେମିତି ଥିଲା ବିଜେଡିର ପ୍ରଦର୍ଶନ? କୋଭିଡ ମହାମାରୀ ଦୃଷ୍ଟିରୁ ୭୮ବର୍ଷର ଇତିହାସରେ ପ୍ରଥମଥର ପାଇଁ ୧୩ଟି ପରିବର୍ତ୍ତନ ସହ ୧୦ଦିନ ଧରି ଚାଲିଥିବା ରାଜ୍ୟସଭାର ୨୫୨ତମ ଅଧିବେଶନରେ ସରକାର ଅନେକ ମହତ୍ତ୍ୱପୂର୍ଣ୍ଣ ବିଲ୍‌ ପାରିତ କରିବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରୁ ୨୪ଟି ବିଲ୍‌କୁ ବିଜେଡି ସମର୍ଥନ କରିଥିବାବେଳେ ୨ଟି କୃଷି ବିଲ୍‌କୁ ବିରୋଧ କରିଥିଲା।

ବିଜେଡିର ୯ ଜଣ ସାଂସଦ ରାଜ୍ୟସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ। ଦଳ ପକ୍ଷରୁ ସରକାରଙ୍କ ୨୫ଟି ବିଲ୍‌କୁ ସମର୍ଥନ କରାଯାଇଥିଲା। ତେବେ, ଦୁଇଟି କୃଷି ବିଲ; କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ, ପ୍ରୋତ୍ସାହନ ଏବଂ ସରଳୀକରଣ ବିଧେୟକ-୨୦୨୦ ଏବଂ କୃଷକ ସଶକ୍ତୀକରଣ ଓ ସୁରକ୍ଷା ମୂଲ୍ୟଧାର୍ଯ୍ୟ ରାଜିନାମା ଓ କୃଷି ସେବା ବିଧେୟକ-୨୦୨୦କୁ ଦଳ ବିରୋଧ କରିଥିଲା। ଦୁଇଟି କୃଷି ବିଲ୍‌ରେ କ୍ଷୁଦ୍ର, ନାମମାତ୍ର ଏବଂ ଭାଗଚାଷୀଙ୍କ ସୁରକ୍ଷା ନେଇ କୌଣସି ବ୍ୟବସ୍ଥା ନଥିବା ଦର୍ଶାଇ ବିଜେଡି ବିଲ୍ ଉପରେ ଆପତ୍ତି ଦର୍ଶାଇ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଏନ୍‌ଡିଏ ସରକାରଙ୍କୁ ପ୍ରସଙ୍ଗ ଭିତ୍ତିରେ ବିଜେଡି ସମର୍ଥନ କରୁଥିବାର ଅନେକ ଦୃଷ୍ଟାନ୍ତ ଥିବାବେଳେ ଏହି ଦୁଇଟି ବିଲକୁ ବିଜେଡିର ବିରୋଧ ସମସ୍ତଙ୍କୁ ଚକିତ କରିଥିଲା।

ରାଜ୍ୟସଭାର ଏହି ସଂକ୍ଷିପ୍ତ ଅଧିବେଶନ କାଳରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ଏନ୍‌ଡିଏ ସମର୍ଥିତ ହରିବଂଶ ନାରାୟଣ ସିଂହଙ୍କୁ ବିଜୟୀ କରାଇବା ପ‌ଛରେ ବିଜେଡି ମଧ୍ୟ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ବିଜେଡିର ଗୃହ ପରିଚାଳନାରେ ସମନ୍ବୟ । ଗୃହକାର୍ଯ୍ୟ ପରିଚାଳନା ପରାମର୍ଶଦାତା କମିଟି ବୈଠକରେ ଯେଉଁ ସବୁ ପ୍ରସଙ୍ଗ ଆଲୋଚନା ପାଇଁ ଧାର୍ଯ୍ୟ କରାଯାଉଥିଲା, ତଦନୁସାରେ ସାଂସଦମାନଙ୍କୁ ବିଭିନ୍ନ ବିଲ୍‌ର ଆଲୋଚନା ପାଇଁ ସୁଯୋଗ ଦିଆଯାଉଥିଲା। ବିଜେଡି ୨୦ଟି ବିଲ୍‌ ଉପରେ କରାଯାଇଥିବା ଆଲୋଚନାରେ ଭାଗ ନେଇଥିଲା। ରାଜ୍ୟସଭାରେ ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟ ସର୍ବାଧିକ ୫ଟି ଆଲୋଚନାରେ ଭାଗ ନେଇଥିବାବେଳେ ଅଧିବେଶନରେ କରୋନା ସଂପର୍କିତ ଏକମାତ୍ର ସ୍ବଳ୍ପକାଳୀନ ବିତର୍କରେ ମଧ୍ୟ ସେ ଭାଗ ନେଇ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ସୁପାରିଶ ଦେଇଥିଲେ। ବିଜେଡିର ଅନ୍ୟ ୮ ଜଣ ସାଂସଦମାନେ ମଧ୍ୟ ୧୫ଟି ଆଲୋଚନାରେ ଭାଗ ନେଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେଡିର ଚାରିଜଣ ନବାଗତ ସାଂସଦମାନେ ଚଳିତ ଅଧିବେଶନରେ ସେମାନଙ୍କର ପ୍ରଥମ ଭାଷଣ ଉପସ୍ଥାପନା କରିଥିଲେ। ନବାଗତ ସାଂସଦମାନଙ୍କ ମଧ୍ୟରୁ ସୁଜିତ କୁମାର ୩ଟି ବିଲ୍‌ର ଆଲୋଚନାରେ ଭାଗ ନେଇଥିଲେ।

ଚଳିତ ସଂକ୍ଷିପ୍ତ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ବାଦ ଦିଆଯାଇଥିବା ସତ୍ତ୍ବେ ବିଜେଡିର ୬ଜଣ ସାଂସଦମାନେ ସମୁଦାୟ ୧୫୬ଟି ଅଣତାରକା ପ୍ରଶ୍ନ ଜରିଆରେ ସରକାରଙ୍କ ଠାରୁ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ଲୋଡ଼ିଥିଲେ। ବିଜେଡି ପକ୍ଷରୁ ସର୍ବାଧିକ ୪୮ଟି ଅଣତାରକା ପ୍ରଶ୍ନ ସାଂସଦ ଡଃ ସସ୍ମିତ ପାତ୍ରଙ୍କ ନାମରେ ରହିଥିଲା। ନବାଗତ ସାଂସଦ ସୁଜିତ କୁମାରଙ୍କ ୧୬ଟି ଅଣତାରକା ପ୍ରଶ୍ନ ରହିଥିଲା। ବିଜେଡି ସାଂସଦ ମାନଙ୍କ ପକ୍ଷରୁ ରାଜ୍ୟ ସ୍ବାର୍ଥ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଗୁଡିକୁ ଶୂନ୍ୟକାଳ ଓ ସ୍ପେଶାଲ ମେନସନ ଜରିଆରେ ଉପସ୍ଥାପନ କରାଯାଇଥିଲା। ବିଜେଡିର ସାଂସଦମାନଙ୍କ ଦ୍ୱାରା ୭ଟି ପ୍ରସଙ୍ଗ ଶୂନ୍ୟକାଳରେ ତଥା ସ୍ପେଶାଲ ମେନ୍‌ସନ୍‌ ଜରିଆରେ ୮ଟି ପ୍ରସଙ୍ଗ ଚଳିତ ଅଧିବେଶନରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ବିଲ୍‌ର ଆଲୋଚନା ସମୟରେ ସାଂସଦମାନଙ୍କ ଦ୍ୱାରା ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅପରପକ୍ଷେ ଓଡ଼ିଶାର ବିଜେପିର ଏକ ମାତ୍ର ସାଂସଦ ଅଶ୍ୱିନୀ ବୈଷ୍ଣବ ଅଧିବେଶନରେ ବ୍ୟାଙ୍କି ରେଗୁଲେସନ୍‌ ସଂଶୋଧନ ୨୦୨୦ ବିଲ୍‌ ଆଲୋଚନାରେ ଭାଗ ନେଇଥିଲେ।

ରାଜ୍ୟସଭାର ୨୫୨ତମ ଅଧିବେଶନର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ମିଳିଥିବା ବିଜେଡି ସାଂସଦ ଡଃ ସସ୍ମିତ ପାତ୍ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତରେ ୫ ଥର ଗୃହ ପରିଚାଳନା କରିବାର ସୌଭାଗ୍ୟ ଲାଭ କରିଥିଲେ। ରାଜ୍ୟସଭାର ଜଣେ କନିଷ୍ଠ ସାଂସଦ ରୂପେ ତାଙ୍କର ଗୃହ ପରିଚାଳନା କାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ଏବଂ ଦଳଗତ ନିର୍ବିଶେଷରେ ସଂସଦମାନେ ସସ୍ମିତଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥଲେ। କେବଳ ଏତିକି ନୁହେଁ, ସସ୍ମିତଙ୍କ ଗୃହ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ବିଲ୍- ନ୍ୟାସନାଲ ଫରେନ୍‌ସିକ୍ ସାଇନ୍ସ ୟୁନିଭରସିଟି ବିଲ୍ ୨୦୨୦, ରାଷ୍ଟ୍ରୀୟ ସୁରକ୍ଷା ୟୁନିଭରସିଟି ବିଲ୍ ୨୦୨୦ ତଥା ଶ୍ରମ ସୁରକ୍ଷା ସମ୍ପର୍କିତ ତିନୋଟି ବିଲ୍‌ ପାରିତ ହୋଇଥିଲା। ଯାହାକି ଏକ ଉଲ୍ଲେଖନୀୟ ଘଟଣା ଥିଲା।

ସମ୍ବନ୍ଧିତ ଖବର