ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ : ୩୫ଟି ବିଲ୍‌କୁ ସମର୍ଥନ କରିଛି ବିଜେଡି

ସର୍ବାଧିକ ଆଲୋଚନାରେ ଭାଗ ନେଇଛନ୍ତି ଭର୍ତ୍ତୃହରି , ନବାଗତଙ୍କ ମଧ୍ୟରେ ସପ୍ତଗିରିଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ‌େର ସମୁଦାୟ ୩୭ କାର୍ଯ୍ୟ ଦିବସରେ ସରକାରଙ୍କ ଦ୍ବାରା ଗୃହୀତ ୩୫ଟି ବିଲ୍‌କୁ ବିଜେଡି ସମର୍ଥନ କରିଛି। ଲୋକସଭାର ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଓମ ବିର୍ଲାଙ୍କୁ ବିଜେଡି ସମର୍ଥନ କରିବା ସହିତ ସମଗ୍ର ଅଧିବେଶନରେ ବିଲ୍ ଗୁଡ଼ିକର ଆଲୋଚନାରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହିତ ବିଲ୍ ଗୁଡ଼ିକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି।

ଲୋକସଭାର ଏହି ପ୍ରଥମ ଅଧିବେଶନରେ ବିଜେଡିର ସମସ୍ତ ୧୨ ଜଣ ସାଂସଦ ଗୃହରେ ସକ୍ରିୟ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ସେମାନେ ଗୃହରେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ। ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କ ଦ୍ବାରା ପ୍ରତ୍ୟେକ ସପ୍ତାହରେ ଗୃହ ପରିଚାଳନା ନେଇ ଯେଉଁ ରଣନୀତି ପ୍ରସ୍ତୁତ କରାଯାଉଥିଲା, ତାକୁ ଭିତ୍ତିକରି ବିଜେଡି ସାଂସଦମାନେ ଗୃହରେ ବିଭିନ୍ନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ରଖୁଥିଲେ। ପ୍ରଥମ ଅଧିବେଶନରେ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରିବା, ଫନି ବାତ୍ୟା ସହାୟତା, କୋଇଲା ଓ ଲୁହାପଥର ରୟାଲିଟି ବୃଦ୍ଧି, ମହିଳା ସଂରକ୍ଷଣ ପ୍ରସଙ୍ଗ, ପୋଲାଭରମ୍ ପ୍ରସଙ୍ଗ, ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି, ରାଜ୍ୟରେ ପର୍ଯ୍ୟଟନ ବିକାଶର ଅବହେଳା ପ୍ରସଙ୍ଗ, ରାଜ୍ୟରେ ହସ୍ତତନ୍ତର ଅବହେଳା ଓ ଅଣଦେଖା, ଅସମ୍ପୂର୍ଣ୍ଣ ରେଳ ପ୍ରକଳ୍ପ ପ୍ରସଙ୍ଗ ଭଳି ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଶୂନ୍ୟକାଳ, ପ୍ରଶ୍ନକାଳ ଓ ସ୍ପେସାଲ ମେନ୍‌ସନ ଜରିଆରେ ବିଜେଡି ସାଂସଦମାନେ ଲୋକସଭାରେ ଉପସ୍ଥାପନ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରଥମ ଅଧିବେଶନରେ ହିଁ ବିଜେଡିର ସମସ୍ତ ସାଂସଦ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ।

ପ୍ରଥମ ଅଧିବେଶନରେ ବିଜେଡି ସାଂସଦମାନେ ସରକାରଙ୍କ ସମସ୍ତ ବିଲ୍‌କୁ ସମର୍ଥନ କରିଥିବାବେଳେ କିଛି ବିଲ୍‌କୁ ବିରୋଧ ମଧ୍ୟ କରିଥିଲେ। ବିଜେଡି ତିନି ତଲାକ ବିଲ୍ ଲୋକସଭାରେ ଆଗତ ହେବା ସମୟରେ ଭୋଟିଂରୁ ବିରତ ରହିଥିଲା। ଏଥିସହିତ ଏକକ ଟ୍ରିବ୍ୟୁନାଲ ବିଲ୍ ଓ ଡ୍ୟାମ ସୁରକ୍ଷା ବିଲ୍‌କୁ ମଧ୍ୟ ଆଗତ ସମୟରେ ବିରୋଧ କରାଯାଇଥିଲା। ସେହିଭଳି ସୂଚନା ଅଧିକାର ସଂଶୋଧନ ବିଲ୍‌କୁ ବିରୋଧ କରାଯାଇଥିଲା। ହେଲେ ସରକାରଙ୍କ ଦ୍ବାରା ବିଜେଡି ପକ୍ଷରୁ ବିଲ୍‌ଗୁଡ଼ିକୁ ନେଇ ଯେଉଁ ଆପତ୍ତି ଉଠାଯାଇଥିଲା ତାହାର ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯିବାରୁ ବିଜେଡି ଏହିସବୁ ବିଲ୍‌କୁ ସମର୍ଥନ ଜଣାଇଥିଲା। ଦଳ ପକ୍ଷରୁ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଧ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା। ଆଧାର ସଂଶୋଧନ ବିଲ୍‌ରେ ମଧ୍ୟ ବିଜେଡି ସରକାରଙ୍କୁ ସାହାଯ୍ୟ କରିଥିଲା। କାଳିଆ ଯୋଜନାକୁ କେନ୍ଦ୍ରୀୟ ଯୋଜନାରେ ମିଶାଇବା ପ୍ରସ୍ତାବ ମଧ୍ୟ ବିଜେଡି ପକ୍ଷରୁ ଦିଆଯାଇଥିଲା। ଧାରା ୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇବା ସହିତ କଶ୍ମୀରକୁ ପାକିସ୍ତାନୀ କବଳରୁ ମୁକ୍ତ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ଗୃହରେ ସାଂସଦମାନଙ୍କୁ ବିଜେଡି ସାଂସଦମାନେ ଅବଗତ କରିଥିଲେ। ଏଥିସହ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଥିଲା।

ଲୋକସଭାରେ ବିଜେଡି ମହିଳା ସାଂସଦମାନଙ୍କ ପ୍ରଦର୍ଶନ ମଧ୍ୟ ଏଥର ସନ୍ତୋଷଜନକ ଥିଲା। ପ୍ରଥମଥର ପାଇଁ ନିର୍ବାଚିତ ହୋଇ ଆସିଥିବା ୫ ଜଣ ମହିଳା ସାଂସଦମାନେ ସେମାନଙ୍କର ପ୍ରଥମ ବକ୍ତବ୍ୟ ରଖିଥିଲେ। ବିଜେଡି ସାଂସଦ ପ୍ରମିଳା ବି‌େଷ‌ାୟୀଙ୍କ ଉପଲବ୍ଧି ତଥା ଅବଦାନକୁ ଲୋକସଭାର ବାଚସ୍ପତି ପ୍ରଶଂସା କରିଥିଲେ। ମହିଳା ଅଙ୍ଗନବାଡି ଓ ଆଶା କର୍ମୀମାନଙ୍କ ସମସ୍ୟା ତଥା ସେମାନଙ୍କ ବେତନ ବୃଦ୍ଧି ପାଇଁ ପ୍ରମିଳା ଗୃହରେ ଦାବି ଉପସ୍ଥାପନ କରିଥିଲେ।

ଅନ୍ୟପକ୍ଷରେ ପ୍ରଥମ ଅଧିବେଶନରେ ରାଜ୍ୟର ବିଜେପି ସାଂସଦମାନେ ମଧ୍ୟ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କରିବା ସହିତ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ପ୍ରଥମଥର ପାଇଁ ପ୍ରଥମ ଓଡ଼ିଆ ସାଂସଦ ରୂପେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ୫ଟି ଭାଷାର ଭାଷଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କ ଭାଷଣକୁ ପ୍ରଶଂସା କରିଥିଲେ। ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଅଧିବେଶନରେ ଓଡ଼ିଶାର ନବାଗତ ସାଂସଦମାନଙ୍କ ମଧ୍ୟରୁ ସର୍ବାଧିକ ୧୬ଟି ବିତର୍କରେ ଭାଗ ନେଇଥିଲେ ଓ ୧୯ଟି ପ୍ରଶ୍ନ ପଚାରିଥିଲେ। ସେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ଚିଟ୍ ଫଣ୍ଡ୍‌ ଠକେଇରେ ଉପାର୍ଜିତ ଅର୍ଥ ହରାଇଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ଅର୍ଥ ଫେରସ୍ତ କରାଯିବା, ପର୍ଯ୍ୟଟନ ବିକାଶରେ ଓଡ଼ିଶାକୁ ଅବହେଳା, ଖାଉଟି ସୁରକ୍ଷା ପ୍ରସଙ୍ଗ ଭଳି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ତେବେ ଲୋକସଭାର ପ୍ରଥମ ଅଧିବେଶନରେ ସାଂସଦ ଭର୍ତୃହରି ମହତାବ ସବୁଠାରୁ ଅଧିକ ୩୩ଟି ଆଲୋଚନାରେ ଭାଗ ନେଇଥିଲେ ଏବଂ ୬୧ଟି ପ୍ରଶ୍ନ ପଚାରିଥିଲେ। ମହିଳା ସାଂସଦମାନଙ୍କ ମଧ୍ୟରୁ ଅପରାଜିତା ଷଡ଼ଙ୍ଗୀ ୭ଟି ଆଲୋଚନାରେ ଭାଗ ନେଇଥିଲେ। ସାଂସଦ ଜୁଏଲ ଓରାମ କୌଣସି ଆଲୋଚନାରେ ଭାଗ ନେଇ ନ ଥିଲେ କି ପ୍ରଶ୍ନ ମଧ୍ୟ ପଚାରି ନ ଥିଲେ।

ସମ୍ବନ୍ଧିତ ଖବର