ନୂଆଦିଲ୍ଲୀ : ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍କୁ ବିଜେଡି ସମର୍ଥନ କରିଛି। ଆଜି ଏଠାରେ ନିର୍ବାଚନ କମିସନ ପକ୍ଷରୁ ଆୟୋଜିତ ସର୍ବଦଳୀୟ ବୈଠକରେ ଏ ନେଇ ଦଳ ନିଜର ମନୋଭାବ ସ୍ପଷ୍ଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ବିଚାରବିମର୍ଶ ପାଇଁ ଆଜି ଭାରତର ନିର୍ବାଚନ କମିସନ୍ ଦ୍ୱାରା ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କ ମତାମତ ଜଣାଇ ଦିଆଯାଇଥିଲା। ବିଜେଡି ପକ୍ଷରୁ ପୁରୀ ସାଂସଦ ପିନାକୀ ମିଶ୍ର ଏହି ବୈଠକରେ ଦେଇଥିଲେ। ବୈଠକରେ ସାଂସଦ ଶ୍ରୀ ମିଶ୍ର ସ୍ପଷ୍ଟ ଭାବେ ନିର୍ବାଚନରେ ନିର୍ବାଚନ କମିସନ୍ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍କୁ ସମର୍ଥନ ଜଣାଇଥିଲେ।
ଏଥିସହିତ, ଶ୍ରୀ ମିଶ୍ର ନିର୍ବାଚନରେ ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷଣ ପ୍ରସଙ୍ଗରେ ମତ ରଖିଥିଲେ। ସଂସଦରେ ମହିଳା ସଂରକ୍ଷଣ ବିଲ୍କୁ ପାସ୍ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ନିର୍ବାଚନରେ ପ୍ରାର୍ଥୀଙ୍କ ବ୍ୟୟ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ମଧ୍ୟ ବିଜେଡି ନିର୍ବାଚନ କମିସନ୍ଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବ ବୋଲି ଶ୍ରୀ ବୈଠକରେ କହିଥିଲେ। ସୋସିଆଲ୍ ମିଡିଆ ପ୍ରଚାରକୁ ନିୟନ୍ତ୍ରଣ କରାଯିବା ଉପରେ ଗୁରୁତ୍ୱ ଦେବା ସହିତ ପେଡ୍ ନ୍ୟୁଜ୍ ପ୍ରସଙ୍ଗ, ଆଚରଣବିଧି, ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ହୋଇଥିବା ଆଲୋଚନାରେ ସେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି।