ଲୋକସଭାରେ ଗୃହୀତ ହେଲା ଅନ୍ତଃରାଜ୍ୟ ନଦୀଜଳ ବିବାଦ ସଂଶୋଧନ ବିଲ୍, ବିଜେଡିର ସମର୍ଥନ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଗୃହୀତ ହୋଇଛି ଅନ୍ତଃରାଜ୍ୟ ନଦୀଜଳ ବିବାଦ ସଂଶୋଧନ ବିଲ୍ (୨୦୧୯)। ବିଲ୍ ଦ୍ବାରା ଦେଶରେ ସବୁ ନଦୀଜଳ ବିବାଦର ସମାଧାନ ପାଇଁ ଏକକ ଟ୍ରିବ୍ୟୁନାଲ୍‌ର ବ୍ୟବସ୍ଥା ରହିଛି। ଏକକ ଟ୍ରିବ୍ୟୁନାଲ ଦ୍ବାରା ଅନ୍ତଃରାଜ୍ୟ ଜଳବିବାଦର ସମାଧାନ କରାଯିବ। ବିଲ୍ ରାଜ୍ୟସଭାରେ ପାରିତ ହେବାପରେ ଦେଶରେ କାର୍ଯକରୁଥିବା ଭିନ୍ନ ଭିନ୍ନ ଜଳବିବାଦ ଟ୍ରିବ୍ୟୁନାଲ ଗୁଡ଼ିକ ଉଚ୍ଛେଦ ହୋଇ ଏକକ ଟ୍ରିବ୍ୟୁନାଲରେ ସାମିଲ ହେବ।

ଆଜି ଲୋକସଭାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତଙ୍କ ଦ୍ବାରା ଆଗତ ଅନ୍ତଃରାଜ୍ୟ ନଦୀଜଳ ବିବାଦ ସଂଶୋଧନ ବିଲ୍ (୨୦୧୯)କୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା। ବିଜେଡି ସାଂସଦ ଭର୍ତୃହରି ମହତାବ ଆଲୋଚନାରେ ଭାଗନେଇ କହିଥିଲେ ଚଳିତମାସ ୨୫ ତାରିଖରେ ଏହି ବିଲ୍ ଯେତେବେଳେ ଲୋକସଭାରେ ଆଗତ ହୋଇଥିଲା ସେହି ସମୟରେ ରାଜ୍ୟମାନଙ୍କ ସହିତ ବିଚାରବିମର୍ଷ କରାନଯାଇ ବିଲ୍‌ଟିକୁ ଆଗତ କରାଯାଇଥିବାରୁ ସେ ବିରୋଧ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ ପାଖରୁ ରାଜ୍ୟମାନଙ୍କ ସହିତ ବିଚାରବିମର୍ଷ କରାଯାଇଥିବା ନେଇ ଜଣାପଡ଼ିବାପରେ ସେ ବିଲ୍‌କୁ ସମର୍ଥନ କରିଥିଲେ। ମହତାବ କହିଥିଲେ ଜଳବିବାଦ ମାମଲା ସମାଧାନ ପାଇଁ ସିଧାସଳଖ ସୁପ୍ରିମକୋର୍ଟକୁ ପଠାଯାଉ। ସୁପ୍ରିମକୋର୍ଟ ନ୍ୟାୟ ନିର୍ଣ୍ଣୟ କରନ୍ତୁ। ଟ୍ରିବ୍ୟୁନାଲରେ ଏଭଳି ନ୍ୟାୟିକ ନିର୍ଣ୍ଣୟର ବ୍ୟବସ୍ଥା ହୋଇପାରିବ ନାହିଁ ବୋଲି ସେ କହିଥିଲେ। ଟ୍ରିବ୍ୟୁନାଲ୍‌ର ରାୟ ଚୂଡ଼ାନ୍ତ ଓ ସମସ୍ତ ପକ୍ଷ ଏହା ମାନିବାକୁ ବଧ୍ୟ ଥିବାବେଳେ ମଧ୍ୟ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରାଯାଇ ପାରିବ ବୋଲି ଭର୍ତୃହରି କହିଥିଲେ। ଭର୍ତୃହରି ପ୍ରଶ୍ନ କରିଥିଲେ ଟ୍ରିବ୍ୟୁନାଲ ଆଦେଶକୁ କିଭଳି କାର୍ଯ୍ୟକାରୀ କରାଯାଇ ପାରିବ। କାବେରୀ ଜଳବିବାଦ ମାମଲାର ଆଦେଶ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ପାରିନଥିବା ସେ କହିଥିଲେ।

ମହତାବଙ୍କ ପ୍ରଶ୍ନର ବିଭିନ୍ନ ପ୍ରସଙ୍ଗ ଉପରେ ଜବାବ ରଖି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଶାଵତ କହିଥିଲେ ଯୋଜନା ମାଧ୍ୟମରେ ଟ୍ରିବ୍ୟୁନାଲର ନ୍ୟାୟିକ ନିଷ୍ପତ୍ତିକୁ ତ୍ବରାନ୍ବିତ କରାଯିବ। ଟ୍ରିବ୍ୟୁନାଲର କ୍ଷମତା ସୁପ୍ରିମକୋର୍ଟ ରାୟ ସହିତ ସମାନ ବୋଲି ସେ କହିଥିଲେ। ନଦୀ ବୋର୍ଡ ଆଇନର ନିଷ୍କ୍ରିୟତା ଉପରେ ଜବାବ ଦେଇ ମନ୍ତ୍ରୀ କହିଥିଲେ କେନ୍ଦ୍ର ସରକାରଙ୍କ ଦ୍ବାରା ନଦୀ ଅବବାହିକାର ମ୍ୟାନେଜମେଣ୍ଟ ବିଲ୍ ପ୍ରସ୍ତୁତ କରାଯାଇଛି। ତାହା ଶୀଘ୍ର ଆଗତ କରାଯିବ। କାବେରୀ ଜଳବିବାଦର ରାୟ କାବେରୀ ଵାଟର ମ୍ୟାନେଜମେଣ୍ଟ ଅଥୋରିଟି ଓ କାବେରୀ ଵାଟର ରେଗୁଲେସନ କମିଟି ଗଠନ କରାଯାଇ ତ୍ବରାନ୍ବିତ କରାଯାଉଛି ବୋଲି ଶେଖାଵାତ କହିଥିଲେ।

ସମ୍ବନ୍ଧିତ ଖବର