ନୂଆଦିଲ୍ଲୀ : ରାଜ୍ୟସଭାରେ ଗୁରୁବାର ଦିନ ପାରିତ ହୋଇଥିବା ସିନେମାଟୋଗ୍ରାଫି ଆଇନ-୧୯୫୨ ସଂଶୋଧନ ବିଲ୍‌କୁ ବିଜୁ ଜନତା ଦଳ(ବିଜେଡି) ସମର୍ଥନ କରିଛି। ବିଲ୍‌ର ବିତର୍କରେ ବିଜେଡି ସାଂସଦ ଡ. ପ୍ରଶାନ୍ତ ନନ୍ଦ ଭାଗ ନେଇଥିଲେ। ୧୯୫୨ର ବିଲ୍‌ରେ ଯେଉଁସବୁ ସଂଶୋଧନ କରାଯାଇଛି ତାହା ଉପରେ ସାଂସଦ ଶ୍ରୀ ନନ୍ଦ ସନ୍ତୋଷ ବ୍ୟକ୍ତ କରିଥିଲେ।

Advertisment

ଆଲୋଚନା ଅବସରରେ ଶ୍ରୀ ନନ୍ଦ ତାଙ୍କର ଚଳଚ୍ଚିତ୍ର ଉଦ୍ୟୋଗରେ ୫୦ ବର୍ଷର ଅନୁଭୂତିକୁ ବାଣ୍ଟିବା ସହିତ ସେନ୍‌ସର ବୋର୍ଡ ଦ୍ବାରା ଅନେକ ସମୟରେ ସେ ସମ୍ମୁଖୀନ ହୋଇଥିବା ସମସ୍ୟା ସଂପର୍କରେ ଉଲ୍ଲେଖ କରିଥିଲେ। ଚଳଚ୍ଚିତ୍ର ଉଦ୍ୟୋଗରେ ପାଇରାସି ସମସ୍ୟା ସଂପର୍କରେ ସେ ଅବଗତ କରାଇବା ସହିତ ଏହାକୁ ନିୟନ୍ତ୍ରଣ କରିବାକୁ ନେଇ ବିଲ୍‌ରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହାକୁ ସେ ସ୍ବାଗତ କରିଥିଲେ। ସେ କହିଥିଲେ, ପାଇରାସି ଯୋଗୁଁ ବର୍ଷକୁ ୧୮ ହଜାର କୋଟି ଟଙ୍କା କ୍ଷତି ହେଉଛି ତଥା ୬୦ ହଜାର ଲୋକ ରୋଜଗାର ହରାଉଛନ୍ତି। ସଂଶୋଧିତ ବିଲ୍‌ରେ ପାଇରାସି ପାଇଁ କଡ଼ା ଆଇନର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୩ ବର୍ଷର କାରାବାସ ଓ ୧୦ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି। ଆଲୋଚନା ଅବସରରେ ଶ୍ରୀ ନନ୍ଦ ସେନ୍‌ସର ବୋର୍ଡର ନିୟମଗୁଡ଼ିକୁ କୋହଳ କରବା ସହିତ କେନ୍ଦ୍ର ସରକାରଙ୍କୁ ବିଲ୍‌ରେ ସାମିଲ କରିବା ପାଇଁ ଏକାଧିକ ପରାମର୍ଶ ଦେଇଥିଲେ।