ଲୋକସଭାରେ ଏସ୍‌ସି/ଏସ୍‌ଟି ଆଇନ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ : ଲୋକସଭାରେ ବିଜେଡି ଅନୁସୂଚିତ ଜାତି ଓ ଜନଜାତି ଆଇନ ସଂଶୋଧନ ବିଲ୍‌କୁ ସମର୍ଥନ ଜଣାଇଛି। ଲୋକସଭାରେ ଏହି ସଂଶୋଧନ ବିଲ୍‌ ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ରୀତା ତରାଇ। ରୀତା ତରାଇ କହିଥିଲେ ଏସ୍‌ସି/ଏସ୍‌ଟି ନିର୍ଯାତନା ନିବାରଣ ସଂଶୋଧନ ଆଇନକୁ ସେ ସ୍ୱାଗତ କରୁଛନ୍ତି ଏବଂ ସରକାର ଏହି ବିଲ୍‌କୁ ଚଳିତ ସଂସଦ ଅଧିବେଶନର ପ୍ରଥମ ଦିନରେ ହିଁ ଆଗତ କରିବାର ଥିଲା ବୋଲି କହିଥିଲେ। ସେ କହିଥିଲେ ଏବେ ମଧ୍ୟ ଆମ ସମାଜରେ ଜାତି ଭିତ୍ତିକ ଅତ୍ୟାଚାର ପ୍ରଚଳିତ ରହିଛି। ତେଣୁ ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂଶୋଧନ ବିଲ୍‌ ପରମ୍ପରା ଉପରେ ପର୍ଯ୍ୟବସିତ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଓ ଅତ୍ୟାଚାରିତ ଜନସମୂହକୁ ନ୍ୟାୟ ପ୍ରଦାନ କରିବ ବୋଲି ତରାଇ କହିଥିଲେ। ସାମାଜିକ ନ୍ୟାୟ ଦିଗରେ ଏହି ସଂଶୋଧିତ ଆଇନ ବଳିଷ୍ଠ ପଦକ୍ଷେପ ହୋଇପାରିବ ବୋଲି ସେ କହିଥିଲେ।

ବିଜେଡିର ଅନୁରୋଧ ଗ୍ରହଣ କଲେ ରାଜ୍ୟସଭା ଅଧ୍ୟକ୍ଷ : ଧାନର ଏମ୍‌ଏସ୍‌ପି ନେଇ ଆଜି ସ୍ୱଳ୍ପ ଅବଧି ଆଲୋଚନା

ନୂଆଦିଲ୍ଲୀ : ଆସନ୍ତାକାଲି ଦିନ ୨ଟା ବେଳେ ରାଜ୍ୟସଭାରେ ଧାନର ଏମ୍‌ଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି ପ୍ରସଙ୍ଗରେ ସ୍ୱଳ୍ପ ଅବଧି ଆଲୋଚନା ହେବ। ବିଜେଡିର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅନୁରୋଧ କ୍ରମେ ଧାନର ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ଆଜି ରାଜ୍ୟସଭା ଅଧ୍ୟକ୍ଷ ସ୍ୱଳ୍ପ ଅବଧି ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଥିଲେ। ହେଲେ ରାଜ୍ୟସଭାରେ ଓବିସି ତଥା ଦିବ୍ୟାଙ୍ଗଙ୍କ ସମ୍ପର୍କିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ କରିବାକୁ ନେଇ ଚର୍ଚ୍ଚା ଜୋର ହେବାରୁ ସ୍ୱଳ୍ପ ଅବଧି ଆଲୋଚନାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି। ସୂଚନାନୁଯାୟୀ ଆସନ୍ତାକାଲି ଧାନର ଏମ୍‌ଏସପି ବୃଦ୍ଧି ପ୍ରସଙ୍ଗ ଆଲୋଚନାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବ ଓ ଏନ୍‌ ଭାସ୍କର ରାଓ ଭାଗ ନେବେ।

ସମ୍ବନ୍ଧିତ ଖବର