ତାଲକୋଟରା ଷ୍ଟାଡିୟମ୍‌ରେ ହେବ ବିଜେଡିର ଧାରଣା

ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆସନ୍ତା ୮ ତାରିଖରେ ବିଜେଡି ଦିଲ୍ଲୀର ତାଲକୋଟରା ଇନଡୋର ଷ୍ଟାଡିୟମ୍‌‌ରେ ଧାରଣା ଓ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଧାରଣା ଓ ପ୍ରଦର୍ଶନ ପାଇଁ ସ୍ଥାନ ଚୟନ କରିବାପାଇଁ ଦଳୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ତାଲ୍‌କୋଟରା ଷ୍ଟାଡିୟମ୍‌ରେ ଧାରଣା ଓ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି। ଦିନ ତମାମ୍‌ ସେଠାରେ କାର୍ଯ୍ୟକ୍ରମ ଜାରି ରହିବ। କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରୁ ରାଜ୍ୟ ସ୍ତରୀୟ କର୍ମୀମା‌ନେ ଯୋଗ ଦେବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇନଥିବାରୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଦିଲ୍ଲୀର ଦରବାରରେ ସ୍ବର ଉତ୍ତୋଳନ କରିବେ। ଧାରଣାରେ ୫ ହଜାରରୁ ଊର୍ଦ୍ଧ୍ବ କର୍ମୀମାନଙ୍କର ସମାଗମ ହେବାର ଯୋଜନା ରହିଥିବାରୁ ଦିଲ୍ଲୀର ବିଭିନ୍ନ ମନ୍ଦିର, ଧର୍ମଶାଳା ତଥା ଅତିଥିଭବନ ମାନଙ୍କରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯାଉଛି ବୋଲି ଜଣାପଡ଼ିଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତି ନେଇ ବର୍ତ୍ତମାନ ସୁଦ୍ଧା କୌଣସ ସ୍ପ‌ଷ୍ଟ ସୂଚନା ମିଳିପାରିନି।

ସମ୍ବନ୍ଧିତ ଖବର