ଭର୍ତ୍ତୃହରି ୨୦୧୭ ର  ଶ୍ରେଷ୍ଠ ସାଂସଦ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ ୨୦୧୭ ପାଇଁ ଶ୍ରେଷ୍ଠ ସାଂସଦ ଘୋଷିତ ହୋଇଛନ୍ତି । ଏ ସଂପର୍କରେ ଇଣ୍ଡିଆନ ପାର୍ଲାମେଣ୍ଟାରୀ ଗ୍ରୁପ (ଆଇପିଜି) ପକ୍ଷରୁ ଘୋଷଣା କରାଯାଇଛି । ଶ୍ରୀ ମହତାବଙ୍କ ଏହି ସଫଳତା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

ଆଇପିଜି ପକ୍ଷରୁ ଗତ ୫ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ତୃଣମୂଳ କଂଗ୍ରେସ ସାଂସଦ ଦିନେଶ ତ୍ରିବେଦୀ ୨୦୧୬ ପାଇଁ, ରାଜ୍ୟସଭାରେ ବିରୋଧୀଦଳ ନେତା ତଥା କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ୨୦୧୫ ପାଇଁ, ବିଜେପି ନେତା ହୁକୁମଦେଓ ନାରାୟଣ ଯାଦବ ୨୦୧୪ ପାଇଁ ଓ ନଜମା ହେପତୁଲ୍ଲା ୨୦୧୩ ପାଇଁ ଶ୍ରେଷ୍ଠ ସାଂସଦ ଘୋଷିତ ହୋଇଛନ୍ତି ।

ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ଥିବା ଏକ କମିଟି ଏହି ସାଂସଦମାନଙ୍କୁ ଚୟନ କରିଥିଲେ । ଏହି କମିଟିରେ ଗୃହମନ୍ତ୍ରୀ ରାଜନାଥ ସିଂ,  ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡ଼ଭାନୀ, ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ. କୁରିଏନ, କଂଗ୍ରେସ ନେତା କରନ ସିଂ ପ୍ରମୁଖ ସଦସ୍ୟ ଥିଲେ ।

ସାଂସଦ ମାନଙ୍କ ଅଭିଜ୍ଞତା, ଗୃହରେ ଆଲୋଚନା କରିବାର ଶୈଳୀ, ବିଭିନ୍ନ ପ୍ରସଙ୍ଗ ଉପରେ ସଚେତନତା ଓ ସେ ଉଠାଇଥିବା ପ୍ରସଙ୍ଗର ଗୁରୁତ୍ୱ ଆଦି ବିଚାରକୁ ନେଇ ଏହି ଚୟନ କରାଯାଏ ।

 

ସମ୍ବନ୍ଧିତ ଖବର