ନିର୍ବାଚନ ଆୟୋଗରେ ବିଜେଡିର ଆୟବ୍ୟୟ ଅଡିଟ ରିପୋର୍ଟ ଦାଖଲ

୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ବିଜେଡିର ଆୟ ହ୍ରାସ ପାଇଛି

ନୂଆଦିଲ୍ଲୀ : ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ବିଜୁ ଜନତା ଦଳ(ବିଜେଡି)ର ଆୟ ଓ ବ୍ୟୟ ହ୍ରାସ ପାଇଛି। ଭାରତୀୟ ନିର୍ବାଚନ ଆୟୋଗରେ ଦାଖଲ କରାଯାଇଥିବା ୨୦୨୦-୨୧ର ଅଡିଟ ରିପୋର୍ଟରୁ ଏହା ଜଣାପଡିଛି। ବିଜେଡି ଦ୍ବାରା ନିର୍ବାଚନ ଆୟୋଗରେ ଦାଖଲ କରାଯାଇଥିବା ଅଡିଟ ରିପୋର୍ଟ‌ରେ ୨୦୨୦-୨୧ରେ ଦଳର ସମୁଦାୟ ଆୟ ୭୩,୩୪,୭୮,୧୩୯ ଟଙ୍କା ହୋଇଥିବାର ଉଲ୍ଲେଖ କରାଯାଇଛି। ଏଥିରୁ ୭,୦୧,୫୧,୬୨୮ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ୨୦୧୯-୨୦ରେ ଆୟର ପରିମାଣ ୯୦,୩୫,୪୬,୬୯୩ ଟଙ୍କା ଏବଂ ବ୍ୟୟର ପରିମାଣ ୧,୮୬,୧୩,୧୮,୧୭୫ ଟଙ୍କା ରହିଥିଲା। ୨୦୧୯-୨୦ରେ ଦଳର ଆୟ କମ ହୋଇଥିବା ବେଳେ ବ୍ୟୟ ଅଧିକ ହୋଇଥିଲା। ୦୨୦-୨୧ରେ ଦଳର ଆୟ ଅଧିକ ହୋଇଥିବା ବେଳେ ଖର୍ଚ୍ଚ କମ ହୋଇଛି।

ଦଳ ପକ୍ଷରୁ ଅଡିଟ ରିପୋର୍ଟରେ ୨୦୨୦-୨୧ ତିର୍ତ୍ତୋଲ ଓ ବାଲେଶ୍ବର ବିଧାନସଭା ଉପ ନିର୍ବାଚନରେ ୧,୦୩,୭୭,୭୨୫ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଜେଡି ଦ୍ବାରା ୨୦୨୦-୨୧ର ଆୟ ବ୍ୟୟ ସଂପର୍କିତ ଅଡିଟ ରିପୋର୍ଟକୁ ଚଳିତ ବର୍ଷ ଜାନୁଆରି ୧୪ରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିଲା। ଆଜି ଆୟୋଗଙ୍କ ପକ୍ଷରୁ ରିପୋର୍ଟକୁ ସାର୍ବଜନୀନ କରାଯାଇଛି।

ସମ୍ବନ୍ଧିତ ଖବର