ନୂଆଦିଲ୍ଲୀ : ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦ୍ବାରା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ପ୍ୟାନେଲରେ ବିଜେଡି ସାଂସଦ ସୁଲତା ଦେଓ ସ୍ଥାନ ପାଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇବାରେ ସେ ପ୍ରଥମ ଓଡ଼ିଆ ମହିଳା ସାଂସଦ। ପୁନର୍ଗଠିତ ୮ ଜଣିଆ ଉପାଧ୍ୟକ୍ଷ ପ୍ୟାନେଲରେ ୫୦ ପ୍ରତିଶତ ମହିଳା ସାଂସଦ ସ୍ଥାନ ପାଇଛନ୍ତି। ଏଥିରେ ବିଜେଡି ସାଂସଦ ସୁଲତା ଦେଓଙ୍କ ସମେତ ପି.ଟି.ଉଷା,ଏସ୍‌.ପାଙ୍ଗନନ କୁନୟାକ୍ ଓ ଡ.ଫୌଜିଆ ଖାନ୍‌ ରହିଛନ୍ତି। ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବା ଅନ୍ୟ ଚାରିଜଣ ସାଂସଦ ହେଲେ ଭି.ବିଜୟସାଇ ରେଡ୍ଡି, ଘନଶ୍ୟାମ ତିୱାରୀ ,ଡ. ଏଲ.ହନୁମନ୍ତୟା ଓ ସୁଖେନ୍ଦୁ ଶେଖର ରାୟ।

Advertisment

ଗୁରତ୍ବପୁର୍ଣ୍ଣ କଥା ହେଉଛି ପ୍ୟାନେଲକୁ ଚୟନ ହୋଇଥିବା ଚାରି ମହିଳା ସାଂସଦ ପ୍ରଥମ ଥର ରାଜ୍ୟସଭାର ସଦସ୍ୟ ହୋଇଛନ୍ତି। ବିଜେଡିର ସୁଲତା ଦେଓ ଜୁଲାଇ ୨୦୨୨ରେ ରାଜ୍ୟସଭା ସଦସ୍ୟ ରୂପେ ଶପଥ ନେଇଥିଲେ। ଶ୍ରୀମତୀ ଦେଓ ଅଫିସ ଅଫ ପ୍ରଫିଟ୍‌ ଯୁଗ୍ମ କମିଟିର ସଦସ୍ୟ ସମେତ ଶିଳ୍ପ, ମହିଳା ସଶକ୍ତୀକରଣ, ଏମ୍‌ପିଲ୍ୟାଡ କମିଟି ସଂସଦୀୟ କମିଟିର ସଦସ୍ୟ ରହିଛନ୍ତି। ଏଥି ସହିତ ଶ୍ରୀମତୀ ଦେଓ ମହିଳା ଓ ଶିଶୁ ବିକାଶ ସଂପର୍କିତ କନସଲଟେଟିଭ କମିଟିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ମନୋନୀତ ପ୍ୟାନେଲ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ରାଜ୍ୟସଭାର ପରିଚାଳନା କରିଥାନ୍ତି। ଜୁଲାଇ ୨୦୨୨ରେ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କିୟା ନାଇଡୁଙ୍କ ଦ୍ବାରା ଗଠନ କରାଯାଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡିର ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର ସ୍ଥାନ ପାଇଥିଲେ।