ନୂଆଦିଲ୍ଲୀ : ରାଜ୍ୟସଭାରେ ସୋମବାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦମାନଙ୍କ ଦ୍ବାରା ପ୍ରବଳ ହଟ୍ଟଗୋଳ ଜାରି ରହିଥିବାବେଳେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଦ୍ବାରା ‘ମେରାଇନ୍ ଏଡ୍ସ ଟୁ ନାଭିଗେସନ୍ ବିଲ୍-୨୦୨୧’କୁ ଗୃହରେ ଆଗତ କରାଯାଇଥିଲା। ଦେଶରେ ବତୀଘରଗୁଡ଼ିକର ପରିଚାଳନାକୁ ନେଇ ୯୦ ବର୍ଷ ଧରି ଯେଉଁ ଆଇନ ପ୍ରଚଳିତ ରହିଛି, ଆଜି ଆଗତ କରାଯାଇଥିବା ବିଲ୍ ଦ୍ବାରା ତାହାର ପରିସମାପ୍ତି ଘଟାଇବା ସହ ବୈଷୟିକ ପରିବର୍ତ୍ତନ ଅନ୍ତର୍ଗତ ମେରାଇନ୍ ନାଭିଗେସନ୍କୁ ଏକ ନୂଆ ଦିଗ ଦେବାର ଯୋଜନା ରହିଛି। ଏହି ବିଲ୍ ଦ୍ବାରା କେନ୍ଦ୍ର ସରକାର ଦେଶର ପୁରୁଣା ବତୀଘରଗୁଡ଼ିକୁ ପର୍ଯ୍ୟଟନ ସ୍ଥଳୀରୂପେ ବିକଶିତ କରି ଦେଶର ନୌ ପରିବହନ ସଂପର୍କୀତ ସମୃଦ୍ଧ ଇତିହାସକୁ ରୁଦ୍ଧିମନ୍ତ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି।
ସୋମବାର ଏହି ବିଲ୍ ଆଗତ ହେବାପରେ ଗୃହରେ ହୋହଲ୍ଲା ଜାରି ରହିଥିବାବେଳେ ବିଜେଡି ସାଂସଦ ସୁବାସଚନ୍ଦ୍ର ସିଂହ ଆଲୋଚନାରେ ଭାଗନେଇ ବିଲ୍କୁ ସମର୍ଥନ କରିଥିଲେ। ଏହି ଅବସରରେ ସାଂସଦ ଶ୍ରୀ ସିଂହ କହିଲେ, ଓଡ଼ିଶାରେ ଥିବା ବତୀଘରଗୁଡ଼ିକର ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ନୂଆ ଆଇନ ଦ୍ବାରା ଓଡ଼ିଶାର ବତୀଘରଗୁଡିକର ବିକାଶ କରାଯାଇପାରିବ। ବିତର୍କରେ ସାଂସଦ ଶ୍ରୀ ସିଂହ କହିଲେ, କେନ୍ଦ୍ର ସରକାର ଦେଶରେ ୬୫ଟି ବତୀଘରକୁ ପିପିପି ମୋଡ୍ରେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଓଡ଼ିଶାର ୫ଟି ବତୀଘରକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରୂପେ ବିକଶିତ କରିବାର ବିଶେଷ ସମ୍ଭାବନା ରହିଛି।
ଓଡ଼ିଶା ଉପକୂଳରେ ଥିବା ୫ଟି ବତୀଘର ମଧ୍ୟରୁ ୧୮୦ ବର୍ଷ ପୁରୁଣା ତଥା ୧୨୯ ଫୁଟ ଉଚ୍ଚତା ବିଶିଷ୍ଟ କେନ୍ଦ୍ରାପଡ଼ା ଉପକୂଳ ‘ଫଲ୍ସ ପଏଣ୍ଟ୍ ଆଇଲାଣ୍ଡ୍’ ବତୀଘର ସଂପର୍କରେ ସେ ବିଶେଷଭାବେ ଉଲ୍ଲେଖ କରିଥିଲେ। ଏହା ଭାରତର ସର୍ବ ପୁରାତନ କାର୍ଯ୍ୟକ୍ଷମ ବତୀଘର। ଏଥି ସହିତ ପାରାଦ୍ବୀପ ଲାଇଟ୍ ହାଉସ୍, ଗୋପାଳପୁର ଲାଇଟ୍ ହାଉସ୍, ଚନ୍ଦ୍ରଭାଗା ଲାଇଟ୍ ହାଉସ୍ ଓ ପୁରୀ ଲାଇଟ୍ ହାଉସ୍ର ଗୁରୁତ୍ବ ସଂପର୍କରେ ସେ ଅବଗତ କରିଥିଲେ। କେନ୍ଦ୍ର ସରକାର ସାଗରମାଳା ପ୍ରକଳ୍ପ ଅର୍ନ୍ତଗତ ଏ ସବୁ ଲାଇଟ୍ ହାଉସ୍କୁ ପର୍ଯ୍ୟଟନର ହବ୍ ରୂପେ ବିକଶିତ କରିବା ପାଇଁ ଚାହୁଁଥିବା ଶ୍ରୀ ସିଂହ ଆଲୋଚନା ବେଳେ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ‘ମେରାଇନ୍ ଏଡ୍ସ ଟୁ ନାଭିଗେସନ ବିଲ-୨୦୨୧’ରେ ଓଡ଼ିଶାର ଲାଇଟ୍ ହାଉସ୍ଗୁଡିକୁ ସାମିଲ କରାଯାଇ ବିକଶିତ କରାଗଲେ ଓଡ଼ିଶାରେ ପର୍ଯ୍ୟଟନର ବିଶେଷ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହ ବିଲ୍ ଆଲୋଚନାରେ ଭାଗ ନେବା ଅବସରରେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/gopalpur-beach.jpg)