ବିଜେପି ଏକ ଅଶିକ୍ଷିତଙ୍କ ଦଳ, ସେଥିପାଇଁ ଦେଶକୁ ବି ଅଶିକ୍ଷିତ କରିବାକୁ ଚାହୁଁଛି: ସିସୋଦିଆ

ନୂଆଦିଲ୍ଲୀ: ବିଜେପି ଏକ ଅଶିକ୍ଷିତଙ୍କ ଦଳ। ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏଭଳି କହିଛନ୍ତି। ମନୀଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ମଦ ପ୍ରସଙ୍ଗ ଛାଡି ବିଜେପି ବର୍ତ୍ତମାନ ସରକାରୀ ସ୍କୁଲ ପଛରେ ପଡ଼ିଛି। ଦିଲ୍ଲୀର ସରକାରୀ ବିଦ୍ୟାଳୟରେ କୌଣସି ଦୁର୍ନୀତି ହୋଇନଥିବା ବେଳେ ବିଜେପି ଦୁର୍ନୀତିର ଅଭିଯୋଗ ଆଣିଛି।

ସିସୋଦିଆଙ୍କ କହିବା ମୁତାବକ, ଦିଲ୍ଲୀର ସ୍କୁଲଗୁଡ଼ିକୁ ବନ୍ଦ କରିବା ପାଇଁ ବିଜେପି ଏଭଳି ଷଡଯନ୍ତ୍ର ରଚିଛି। ସିବିଆଇ ଚଢ଼ଉ କରିବା ପରେ ସେମାନଙ୍କୁ କ’ଣ ମିଳିଲା ତାହା ଏପର୍ଯ୍ୟନ୍ତ ସେମାନେ କହି ନାହାଁନ୍ତି। ସେ ବିଷୟରେ ଜଣାଇବା ପରିବର୍ତ୍ତେ ସେମାନେ ସରକାରୀ ବିଦ୍ୟାଳୟରେ ଦୁର୍ନୀତି ହୋଇଥିବା କଥା କହୁଛନ୍ତି, ଯେଉଁଥିରେ କୌଣସି ସତ୍ୟତା ନାହିଁ। ସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟକୁ ପଠାଇବା ପାଇଁ ବିଜେପି ଏଭଳି ଷଡ଼ଯନ୍ତ୍ର କରୁଛି।

ସେ ଆହୁରି କହିଛନ୍ତି ଯେ, ବିଜେପି ଅଶିକ୍ଷିତଙ୍କ ଦଳ ଏବଂ ସେଥିପାଇଁ ବିଜେପି ଦେଶକୁ ଅଶିକ୍ଷିତ କରିବାକୁ ଚାହୁଁଛି। ନିଜ ରାଜ୍ୟରେ ସେମାନେ ଅନେକ ସରକାରୀ ବିଦ୍ୟାଳୟ ବନ୍ଦ କରି ଦେଇଛନ୍ତି। ସେମାନଙ୍କ ଶାସନରେ ଏତେ ସଂଖ୍ୟକ ସରକାରୀ ବିଦ୍ୟାଳୟ କାହିଁକି ବନ୍ଦ ହୋଇଗଲା ତାହା ସେମାନେ ଅନୁସନ୍ଧାନ କରିବା ଉଚିତ୍। ମୋ ଘରେ ସିବିଆଇ ଚଢ଼ଉ କରିବା ପରେ କିଛି ନମିଳିବାରୁ ବିଜେପି ଏବେ ଦିଲ୍ଲୀର ସରକାରୀ ବିଦ୍ୟାଳୟ ଉପରେ ନଜର ପକାଇଛି।

ସମ୍ବନ୍ଧିତ ଖବର