ନୂଆଦିଲ୍ଲୀ : ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମଲିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ (ବ୍ୟକ୍ତିଗତ ସହଯୋଗୀ) ବିଭବ କୁମାର ଦୁର୍ବ୍ୟବହାର କରିବା ନେଇ ରାଜନୀତି ତେଜିଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି ଏବଂ ଆପ୍ ପରସ୍ପରକୁ ଟାର୍ଗେଟ୍ କରିଛନ୍ତି। ମାମଲାରେ ସ୍ବାତୀ ଆଜି ଅପରାହ୍ନରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଣ୍ଡି ମେଣ୍ଟର ଅନ୍ୟ ଜଣେ ସହଯୋଗୀ ତଥା ସପା (ସମାଜବାଦୀ ପାର୍ଟି) ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ କେଜ୍ରିୱାଲ ଆପ୍ ସାଂସଦ ସ୍ବାତୀ ମଲିୱାଲ ମାମଲାରେ କାହିଁକି ନିରବ ଅଛନ୍ତି ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ। କିନ୍ତୁ କେଜ୍ରିୱାଲ ଏହାର କୌଣସି ଉତ୍ତର ଦେଇନଥିଲେ। ଏହି ସମୟରେ ସପା ସୁପ୍ରିମୋ ଅଖିଳେଶ ଯାଦବ କହିଥିଲେ, ଏହାଠାରୁ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଛି।
ଲିଖିତ ଅଭିଯୋଗ ଦାଖଲ କଲେ ସ୍ବାତୀ
ବିଭବ କୁମାରଙ୍କୁ ସମନ୍ କଲା ଏନ୍ସିଡବ୍ଲ୍ୟୁ
ଆପ୍ ସାଂସଦଙ୍କ ବାସଭବନରେ ଦିଲ୍ଲୀ ପୁଲିସ
କେଜ୍ରିୱାଲଙ୍କ ସହକର୍ମୀ ତଥା ଆପ୍ ନେତା ସଂଜୟ ସିଂହ ମାଇକ୍ ନେଇ କେଜ୍ରିୱାଲଙ୍କୁ କରାଯାଇଥିବା ପ୍ରଶ୍ନର ଜବାବ ଦେଇଥିଲେ। ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ବିଜେପି ନିରବ ରହିଥିବା ସଂକ୍ରାନ୍ତରେ କେତେକ ଉଦାହରଣ ଦେଇ ସଂଜୟ ସିଂହ କହିଛନ୍ତି, ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଏବଂ ବିଜେପି ମେଣ୍ଟ ସହଯୋଗୀ ଦଳର ନେତା ପ୍ରଜ୍ବଳ ରେବନ୍ନାଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲା ଏବେ କେଉଁ ସ୍ଥିତିରେ ରହିଛି ତାହାର ଚର୍ଚ୍ଚା ହେବା ଆବଶ୍ୟକ। ମଲିୱାଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଏନ୍ସିଡବ୍ଲ୍ୟୁ (ଜାତୀୟ ମହିଳା କମିସନ୍) ବିଭବ କୁମାରଙ୍କୁ ସମନ କରିଛନ୍ତି। ଉକ୍ତ ମାମଲାରେ ଏନସିଡବ୍ଲ୍ୟୁ ନିଜଆଡ଼ୁ ହସ୍ତକ୍ଷେପ କରି କୁମାରଙ୍କୁ ମେ’ ୧୭ ତାରିଖରେ ହାଜର ହେବାକୁ କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଳୀ ପୁଲିସର ଏକ ଟିମ୍ ଆପ୍ ସାଂସଦ ସ୍ବାତୀ ମଲିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଛି। ଏସିପି ରୢାଙ୍କର ଜଣେ ଅଫିସରଙ୍କ ନେତୃତ୍ବାଧୀନ ଏକ ଟିମ୍ ମଲିୱାଲଙ୍କ ବାସଭବନରେ ପହଞ୍ଚି ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ବୁଝିଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ବାତୀ ମଲିୱାଲ ଗତ ସୋମବାର କେଜ୍ରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାରର ଶିକାର ହୋଇଥିଲେ।