ହିମାଚଳରେ ଐତିହାସିକ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ବିଜେପିର ଲକ୍ଷ୍ୟ

କ୍ଷମତାକୁ ଫେରିବାକୁ କଂଗ୍ରେସ ଆଶାୟୀ

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ସମସ୍ତ ୬୮ ଆସନ ପାଇଁ ଶନିବାର ଦିନ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ରହିଛି। ଏବେ ଫଳାଫଳ ଉପରେ ସମସ୍ତଙ୍କ ନଜର। ବିଜେପି ହିମାଚଳରେ ନିର୍ବାଚନ ପରମ୍ପରା ଭାଙ୍ଗି ପୁନର୍ବାର କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଦ୍ରୋହୀ ବିଜେପିର ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। ୨୦୧୭ ବିଧାନସଭା ନିର୍ବା‌ଚନରେ ବିଜେପି ହିମାଚଳର ୬୮ ଆସନରୁ ୪୪ଟିରେ ଜିତିଥିଲା। ଅନ୍ୟପକ୍ଷେ କଂଗ୍ରେସକୁ ୨୧ଟି ଆସନ ମିଳିଥିଲା। ଚଳିତ ଥର ମଧ୍ୟ ବିଜେପି କ୍ଷମତାକୁ ଆସିବାକୁ ଚେଷ୍ଟା ଚଳାଇଛି। କିନ୍ତୁ ବିଜେପି ପାଇଁ ଚିନ୍ତାଜନକ ହେଉଛି ଏହାର ୨୧ ବିଦ୍ରୋହୀ ନେତା। ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ପାଇଁ ଏହା ଏକ ସମ୍ମାନର ପ୍ରସଙ୍ଗ।

ଏକଦା ପ୍ରେମ କୁମାର ଧୁମାଲଙ୍କ ଅଧୀନରେ ନଡ୍ଡା ମନ୍ତ୍ରୀ ଥିଲେ। କିନ୍ତୁ ଚଳିତ ଥର ଧୁମାଲଙ୍କୁ ଟିକେଟ୍‌ ମିଳିନି। ଧୁମାଲ ନିଜ ଇଚ୍ଛାରେ ନିର୍ବାଚନ ଲଢ଼ୁନାହାନ୍ତି ବୋଲି କହିଥିଲେ ସୁଦ୍ଧା ତାଙ୍କୁ ଟିକେଟ୍‌ ନମିଳିବାକୁ ନେଇ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ପ୍ରଚାର କରିଥିବାବେଳେ କଂଗ୍ରେସର କେବଳ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ପ୍ରଚାର କରିଛନ୍ତି। କଂଗ୍ରେସର ପ୍ରଥମ ଅଣଗାନ୍ଧି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ହିମାଚଳରେ ନିର୍ବାଚନ ପ୍ରଚାର କରିଛନ୍ତି। କଂଗ୍ରେସ ପାଇଁ ହିମାଚଳରେ ନିର୍ବାଚନ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କଂଗ୍ରେସ ଏବେ କେବଳ ରାଜସ୍ଥାନ ଏବଂ ଛତିଶଗଡ଼ରେ କ୍ଷମତାରେ ଥିବା‌ବେଳେ ହିମାଚଳରେ ପୁଣିଥରେ କ୍ଷମତାକୁ ଫେରିବାପାଇଁ କଂଗ୍ରେସ ଆଶାୟୀ ଅଛି। କ୍ଷମତାକୁ ଫେରିବାପାଇଁ କଂଗ୍ରେସ ୨୦୦୪ ପୁରୁଣା ପେନସନ୍‌ ଯୋଜନା ପୁନର୍ବାର ଫେରାଇ ଆଣିବାପାଇଁ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର