ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ଚାଲୁଥିବା ଅଭିନେତ୍ରୀମାନେ ନେଉଛନ୍ତି ଟଙ୍କା: ବିଜେପି

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ ଯାତ୍ରାରେ ଏପର୍ଯ୍ୟନ୍ତ ଅନେକ କଳାକାର ଅଂଶଗ୍ରହଣ କରିଛନ୍ତି। ପୂଜା ଭଟ୍ଟ, ସୁଶାନ୍ତ ସିଂ, ଆମୋଲ ପାଲେକର, ରିୟା ସେନ୍, ରଶ୍ମୀ ଦେଶାଇଙ୍କ ସମେତ ଆଉ କିଛି ଅଭିନେତ୍ରୀ ରାହୁଲଙ୍କ ପଦଯାତ୍ରାରେ ସାମିଲ ହୋଇଛନ୍ତି | ତେବେ ବର୍ତ୍ତମାନ ଏନେଇ ବିଜେପି ପକ୍ଷରୁ ଏକ ବଡ ଅଭିଯୋଗ ହୋଇଛି। ଅମିତ ମାଲଭିଆଙ୍କ ସମେତ ଅନେକ ବିଜେପି ନେତା ଆଜି ଦାବି କରିଛନ୍ତି ଯେ ଏହି କଳାକାରମାନଙ୍କୁ କଂଗ୍ରେସ ନେତାଙ୍କ ସହ ଚାଲିବା ପାଇଁ ଟଙ୍କା ଦିଆଯାଇଛି। ଅର୍ଥାତ ରାହୁଲଙ୍କ ସହ ଚାଲିବା ପାଇଁ ଏହି ଅଭିନେତ୍ରୀମାନେ ମୋଟା ଅଙ୍କର ଟଙ୍କା ନେଇଛନ୍ତି | ବିଜେପି ନେତାମାନେ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଅଭିନେତା/ଅଭିନେତ୍ରୀମାନେ ରାହୁଲଙ୍କ ଭାରତ ଯୋଡ଼ ପଦଯାତ୍ରାରେ ସାମିଲ ହେବା ପାଇଁ ହ୍ଵାଟ୍ସଆପ ମେସେଜ ପଠାଯାଇଛି। ହ୍ଵାଟ୍ସଆପ ମେସେଜ୍ ଅନୁଯାୟୀ ଏହି ଅଭିନେତା/ଅଭିନେତ୍ରୀମାନେ ରାହୁଲ ଗାନ୍ଧୀଙ୍କ ସହ ଚାଲିବାକୁ ହେଲେ ୧୫ ମିନିଟ ପାଇଁ କେତେ ଟଙ୍କା ନେବେ ତାହା କହିବାକୁ କୁହାଯାଇଛି |


ଏହା ସହ କେଉଁ ସମୟରେ ଚାଲିପାରିବେ ସେନେଇ କହିବାକୁ ମଧ୍ୟ କୁହାଯାଇଛି | ୧୫ ମିନିଟ ଚାଲିବାକୁ କେତେ ଟଙ୍କା ନେବେ ଓ କେଉଁ ସମୟରେ ଚାଲିବେ ସେନେଇ କହିବାକୁ କଳାକାରମାନଙ୍କୁ ହ୍ଵାଟ୍ସଆପ କରାଯାଇଥିବାର ବିଜେପି ଅଭିଯୋଗ କରିଛି | ତେବେ ବିଜେପିର ଅଭିଯୋଗକୁ କଂଗ୍ରେସ ଖଣ୍ଡନ କରିଛି | କଂଗ୍ରେସ କହିଛି ଯେ ବିଜେପି ଭାରତ ଯୋଡ଼ ଯାତ୍ରାକୁ ବଦନାମ କରିବାକୁ ଚେଷ୍ଟା କରୁଛି। ଯେଉଁମାନେ ଭାରତ ଯୋଡ ଯାତ୍ରାରେ ଭାଗ ନେଇଛନ୍ତି ସେମାନେ ଆମ ଦେଶ ତଥା ଆମ ପାଇଁ ଛିଡା ହୋଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ନେତା ସଚିନ ସାୱନ୍ତ କହିଛନ୍ତି ଯେ ଏହି ହ୍ଵାଟ୍ସଆପ ମେସେଜର କୌଣସି ସତ୍ୟତା ନାହିଁ | ବିଜେପି ପାଖରେ ହିଁ ସେଲିବ୍ରିଟିଙ୍କ ମିଥ୍ୟା ସମର୍ଥନ ଯୋଗାଡ କରିବାର କୌଶଳ ରହିଛି |

ସମ୍ବନ୍ଧିତ ଖବର