ନିରବଙ୍କ କମ୍ପାନିରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଗଭିଙ୍କ ପତ୍ନୀଙ୍କ ଅଂଶଧନ ରହିଛି, ଅଭିଯୋଗ ଆଣିଲା ବିଜେପି

ନୂଆଦିଲ୍ଲୀ : ନିରବ ମୋଦି ଠକେଇ ମାମଲାରେ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ । ନିରବ ମୋଦିଙ୍କ କମ୍ପାନି ଫାୟାରଷ୍ଟାର ଇଣ୍ଟରନାସନାଲରେ କଂଗ୍ରେସ ନେତା ଅଭିଷେକ ମନୁ ସିଂଗଭିଙ୍କ ପତ୍ନୀ ଅନିତା ସିଂଗଭି ଓ ପୁତ୍ରଙ୍କ ଅଂଶଧନ ଥିବା ବିଜେପି ଅଭିଯୋଗ କରିଛି ।

ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ନେତା ନିର୍ମଳା ସୀତାରମଣ କହିଛନ୍ତି ଯେ ମୁମ୍ବଇର ଲୋୟର ପରେଲରେ ସ୍ଥିତ ଟ୍ରେଡ ପଏଣ୍ଟ ବିଲଡିଂରେ ସିଂଗଭି ପରିବାର ମାଲିକାନାରେ ଥିବା ଅଦ୍ୱୈତ ହୋଲଡିଂସର ଏକ କମର୍ସିଆଲ ଫ୍ଲାଟ୍‌ ରହିଛି । ଏହି ଫ୍ଲାଟରେ ହିଁ ନିରବଙ୍କ କମ୍ପାନି ଫାୟାରଷ୍ଟାର ଇଣ୍ଟରନାସନାଲର ଅଫିସ ରହିଛି । ଅନିତା ସିଂଗଭି ଓ ତାଙ୍କ ପୁତ୍ର ଗତ ୨୦୦୨ରୁ ନିରବଙ୍କ କମ୍ପାନିରେ ସେୟାରଧାରୀ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ଏହି ଅଭିଯୋଗକୁ ଦୃଢଭାବେ ଖଣ୍ଡନ କରିଛନ୍ତିି କଂଗ୍ରେସ ନେତା ମନୁ ସିଂଗଭି । ସେ କହିଛନ୍ତି ଯେ ନିରବଙ୍କ କମ୍ପାନି ସହ ତାଙ୍କର ବା ତାଙ୍କ ପରିବାରର କୌଣସି ସଂପର୍କ ନାହିଁ । କେବଳ ତାଙ୍କ ମାଲିକାନାରେ ଥିବା କୋଠାରେ ଫାୟାରଷ୍ଟାର ଇଣ୍ଟରନାସନାଲର ଅଫିସ ଭଡ଼ାରେ ଚାଲିଥିଲା । କିନ୍ତୁ ଗତ ଡିସେମ୍ବର ମାସରୁ ଏହି ଭଡ଼ା ଚୁକ୍ତିର ମିଆଦ ସମାପ୍ତ ହୋଇଯାଇଛି । ଏଭଳି ମିଥ୍ୟା ଅଭିଯୋଗ ପାଇଁ ସେ ନିର୍ମଳା ଓ ତାଙ୍କ ଟିମ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି ଧମକ ଦେଇଛନ୍ତି ।

ସମ୍ବନ୍ଧିତ ଖବର