ପୁଡୁଚେରୀରେ ସରକାର ଗଢ଼ିବାକୁ ବିଜେପି ଓ ମେଣ୍ଟ ଦଳ ଦାବି କରିବେ ନାହିଁ, ରାଷ୍ଟ୍ରପତି ଶାସନ ସମ୍ଭାବନା

ନୂଆଦିଲ୍ଲୀ: ପୁଡୁଚେରୀରେ ସରକାର ଗଢ଼ିବାକୁ ବିଜେପି ଓ ତା’ର ମେଣ୍ଟ ଦଳମାନେ ଦାବି କରିବେ ନାହିଁ ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି। ରାଷ୍ଟ୍ରପତି ଶାସନ ନିମନ୍ତେ ମଧ୍ୟ ଉପରାଜ୍ୟପାଳ ତମିଲିସଇ ସୌନ୍ଦରରାଜନ ସୁପାରିସ କରିଥିବା କଥା ମଧ୍ୟ ସେହି ସୂତ୍ର ସୂଚନା ଦେଇଛି।

ରାଷ୍ଟ୍ରପତି ଶାସନ ଜାରି ନିମନ୍ତେ ସୌନ୍ଦରରାଜନ ପଠାଇଥିବା ସୁପାରିସ ପତ୍ରଟି ଆଜି କ୍ୟାବିନେଟ୍‌ ବୈଠକରେ ପାରିତ ହେବ।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ହେବାକୁ ମାତ୍ର ତିନି ମାସ ଥିବା ବେଳେ ସୋମବାର ଦିନ ଭି ନାରାୟଣସାମୀ ସରକାର କ୍ଷମତାଚ୍ୟୁତ ହୋଇଛି। ଛଅଜଣ ବିଧାୟକ ଇସ୍ତଫା ଦେବା ପରେ ୨୬ ଆସନବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଡିଏମ୍‌କେ ମେଣ୍ଟ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ଲାଗି ଆବଶ୍ୟକ ୧୪ଜଣ ବିଧାୟକ ହାସଲ କରିବାରେ ବିଫଳ ହୋଇଥିଲା। କଂଗ୍ରେସର ୫ଜଣ ଏବଂ ଡିଏମ୍‌କେର ଜଣେ ବିଧାୟକ ଇସ୍ତଫା ଦେଇଥିଲେ। କଂଗ୍ରେସ ଛାଡ଼ିଥିବା ବିଧାୟକମାନଙ୍କ ମଧ୍ୟରୁ ଦୁଇଜଣ ବିଜେପିରେ ଯୋଗ ଦେଇଥିବା ବେଳେ ଆହୁରି କେତେ ଜଣ ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି।

Image Courtesy of News18

ଅନ୍ୟ ପକ୍ଷରେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀ ଓ ତାମିଲନାଡୁ ଗସ୍ତରେ ଯିବେ। ଏହି ଉପକୂଳବର୍ତ୍ତୀ କେନ୍ଦ୍ରଶାସିତ ଅଞ୍ଚଳରେ କେତେଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ବିଜେପି ରାଲିରେ ମଧ୍ୟ ଉଦ୍‌ବୋଧନ ଦେବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଫେବ୍ରୁଆରି ୨୮ ତାରିଖରେ ପଡୁଚେରୀ ଗସ୍ତରେ ଯିବେ।

ସମ୍ବନ୍ଧିତ ଖବର