ବିଜେପି ଓ ଆପ୍ ପ୍ରବକ୍ତା ଟିଭିରେ ମାରିଲେ ବାଜି

ନୂଆଦିଲ୍ଲୀ, : ଆମ ଆଦ୍‌ମୀ ପାର୍ଟି (ଆପ୍) ‌ପ୍ରବକ୍ତା ସୌରଭ ଭାରଦ୍ବାଜ ଓ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରବକ୍ତା ଗୌରବ ଭାଟିଆଙ୍କ ମଧ୍ୟରେ ଟିଭି ଡିବେଟ୍‌ରେ ଏକ ସର୍ତ୍ତ ରଖାଯାଇଥିଲା। ବିଜେପି ପ୍ରବକ୍ତା ଆପ୍‌ର ଘୋଷଣାପତ୍ର ଅନୁସାରେ ୫୦୦ ନୂଆ ସ୍କୁଲ ଦେଖାଇବାକୁ ଚ୍ୟାଲେଞ୍ଜ କରିଥିବା ବେଳେ ସୌରଭ ଭାରଦ୍ବାଜ ଏହାକୁ ସ୍ବୀକାର କରିନେଇଥିଲେ। କଥା ଅନୁସାରେ ଦୁହେଁ ଆସିଲେ ବି, କିନ୍ତୁ ଏହାପରେ ହେଲା ଜୋରଦାର୍‌ ହଙ୍ଗାମା। ଚ୍ୟାଲେଞ୍ଜରେ କିଏ ଜିତିଲା ତାହାକୁ ନେଇ ଉଭୟ ପକ୍ଷ ଦାବି କରୁଛନ୍ତି। ଭିଡିଓ ଜାରି କରି ଉଭୟ ଉଭୟଙ୍କୁ ପରାଜିତ ବୋଲି କହୁଛନ୍ତି।
ସୂଚନାଯୋଗ୍ୟ, ଗୌରବ ଭାଟିଆ ଓ ସୌରଭ ଭାରଦ୍ବାଜଙ୍କ ମଧ୍ୟରେ ମଙ୍ଗଳବାର ଟିଭି ଚ୍ୟାନେଲରେ ଦିଲ୍ଲୀ ଶିକ୍ଷା ଦୁର୍ନୀତି ଉପରେ ବିତର୍କ ହୋଇଥିଲା। ଗୌରବ ଭାଟିଆ କହିଲେ- ଆପ୍ କହିଥିଲା ୫୦୦ ନୂଆ ସ୍କୁଲ ତିଆରି କରିବ। କାଲି ଦିନ ୧୧ଟାରେ ଯୋଉଠି କହିବେ ସେଠି ପହଞ୍ଚିବି। କୋଉଠି ନୂଆ ସ୍କୁଲ ହୋଇଛି ଦେଖିବା, ତା’ପରେ ଏହି ମଞ୍ଚ ଉପରେ ଆସି ରିପୋର୍ଟ କରିବା। ଭାରଦ୍ବାଜ ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରି କୌଟଲ୍ୟା ସ୍କୁଲ ଚିରାଗ ଏନ୍‌କ୍ଲେଭ ଗ୍ରେଟର କୈଳାସ-୧କୁ ଆସିବାକୁ କହିଥିଲେ।

କଥିତ ସ୍ଥାନରେ ଠିକ୍ ସମୟରେ ଉଭୟେ ପହଞ୍ଚିଥିଲେ। କିନ୍ତୁ ତା’ପରେ ଉଭୟଙ୍କ ଭିତରେ ଢେର ଯୁକ୍ତିତର୍କ ହୋଇଥିଲା। ହଙ୍ଗାମା ସହ ସମର୍ଥକମାନଙ୍କର ନାରାବାଜି ବି ଚାଲିଥିଲା। ଉଭୟ ପକ୍ଷରୁ ଭିଡିଓ ତିଆରି କରାଯାଉଥିଲା। ଗୌରବ ଓ ସୌରଭ ଦୁଇଟି ସ୍କୁଲକୁ ଗଲେ। ଏହାପରେ ବିଜେପି ପ୍ରବକ୍ତା କହିଲେ କି ସୌରଭ ଭାରଦ୍ବାଜ ୫୦୦ ସ୍କୁଲର ତାଲିକା ଦେଇପାରିଲେନି। ଆପ୍ ବିଧାୟକ କହିଲେ କି ଗୌରବ ଭାଟିଆ ପଳାଇଗଲେ। ଗ‌ୌରବ ଭାଟିଆ କହିଛନ୍ତି ଯେ ଦୁଇଟି ସ୍କୁଲ ଭିତରୁ ଗୋଟିଏ ସ୍କୁଲ ଥିଲା ପୁରୁଣା ଏବଂ ଦ୍ବିତୀୟଟି ଏବେ ତିଆରି ଚାଲିଛି। ୫୦୦ ସ୍କୁଲର ତାଲିକା ବାରମ୍ବାର ମାଗିଥିଲେ ମଧ୍ୟ ସୌରଭ ଭାରଦ୍ବାଜ ତାହା ଦେଇପାରି ନ ଥିଲେ।

ସମ୍ବନ୍ଧିତ ଖବର