ବିଜେପି ଆୟରେ ୧୩୪%, କଂଗ୍ରେସର ୩୬୧% ବୃଦ୍ଧି

ନୂଆଦିଲ୍ଲୀ: ବିଜେପିର ଆୟ ୨୦୧୮-୧୯‌ରେ ଦୁଇଗୁଣ ହୋଇଛି। ନିର୍ବା‌ଚନ କମିସନ୍‌ରେ ବିଜେପି ଦ୍ବାରା ଦାଖଲ କରାଯାଇଥିବା ୨୦୧୮-୧୯ ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ବିଜେପିର ରୋଜଗାର ୨୦୧୮-୧୯ରେ ୨,୪୧୦ କୋଟିରୁ ଅଧିକ ଥିଲା। ୨୦୧୭-୧୮ ଅଡିଟ୍‌ ରିପୋର୍ଟରେ ବିଜେପିର ଆୟ ୧୦୨୭ କୋଟି ଥିଲା ବୋଲି ଦର୍ଶାଯାଇଥିଲା। ତେବେ ୨୦୧୮-୧୯ରେ ଏହା ୧୩୪ ପ୍ରତିଶତ ବୃଦ୍ଧି ପାଇଛି। ଅଡିଟ୍‌ ରିପୋର୍ଟ ଅନୁଯାୟୀ ୧୪୫୦ କୋଟିରୁ ଅଧିକ ଟଙ୍କା କେବଳ ନିର୍ବାଚନୀ ବଣ୍ଡ୍‌ରୁ ଆସିଛି। ୨୦୧୮-୧୯ରେ ବିଜେପି ଦ୍ବାରା ୨୦୧୮-୧୯ରେ ୧୦୦୫ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଘୋଷଣା କରାଯାଇଛି। ଦଳର ବ‌ାର୍ଷିକ ରିପୋର୍ଟରେ ଦର୍ଶାଯାଇଛି ଯେ ବିତ୍ତିୟ ବର୍ଷ ପାଇଁ ୭୯୧.୪ କୋଟିରୁ ଅଧିକ ଟଙ୍କା ନିର୍ବାଚନ ଏବଂ ସାଧାରଣ ପ୍ରଚାରରେ ଖର୍ଚ୍ଚ କରାଯାଇଛି। ୨୦୧୭-୧୮ର ଖର୍ଚ୍ଚ ତୁଳନାରେ ଏହା ୩୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୭-୧୮ରେ ଏହି ଖର୍ଚ୍ଚ ୭୫୮ କୋଟି ଥିଲା।

ଅନ୍ୟପ‌କ୍ଷେ କଂଗ୍ରେସ ଦ୍ବାରା ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ ହୋଇଥିବା ଅଡିଟ୍‌ ରିପୋର୍ଟରେ କୁହାଯାଇଛି ଯେ, ଦଳର ରୋଜଗାର ୩୬୧ ପ୍ରତିଶତ ବୃଦ୍ଧି ପାଇଛି। ଦଳ ୨୦୧୮-୧୯ରେ ୯୧୮ କୋଟି ଟଙ୍କା ଆୟ କରିଛି। ୨୦୧୭-୧୮ରେ ଏହାର ଆୟ ୧୯୯ କୋଟି ଟଙ୍କା ଥିଲା। ୨୦୧୮-୧୯ ଆୟରୁ ୩୮୩ କୋଟି ନିର୍ବାଚନୀ ବଣ୍ଡ୍‌ରୁ ଆସିଛି ‌ବୋଲି କୁହାଯାଇଛି। ତେବେ ୨୦୧୭-୧୮ ତୁଳନାରେ ଏହା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୭ -୧୮ରେ ନିର୍ବାଚନୀ ବଣ୍ଡ୍‌ରୁ ଦଳ ୫ ଲକ୍ଷ ରୋଜଗାର କରିଥିବା କୁହାଯାଇଥିଲା। କଂଗ୍ରେସ ୨୦୧୮-୧୯ରେ ୩୦୯ କୋଟି ନିର୍ବାଚନୀ ଖର୍ଚ୍ଚ କରିଥିବା ଘୋଷଣା କରିଛି। ଦଳ ପ୍ରଚାର ପାଇଁ ୭୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର