ଲକ୍ଷ୍ନୌ : ଆସନ୍ତା ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପି ଅପନା ଦଳ (ଏସ) ଓ ନିଶାଦ ପାର୍ଟି ସହ ମିଳିତ ଭାବେ ଲଢିବ । ଏ ସମ୍ପର୍କରେ ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା ଘୋଷଣା କରିଛନ୍ତି । ଆଜି ଅପନା ଦଳର ମୁଖ୍ୟ ଅନୁପ୍ରିୟା ପଟେଲ ଓ ନିଶାଦ ପାର୍ଟିର ମୁଖ୍ୟ ସଂଜୟ ନିଶାଦଙ୍କ ସହ ବୈଠକପରେ ଏହି ଘୋଷଣା କରାଯାଇଛି ।
ଏହି ତିନି ଦଳ ମିଶି ଉତ୍ତରପ୍ରଦେଶର ମୋଟ ୪୦୩ ଆସନରେ ପ୍ରାର୍ଥୀ ଦେବେ । କିନ୍ତୁ କେଉଁ ଦଳ କେତୋଟି ଆସନରେ ଲଢିବେ ତାହା ଚୂଡ଼ାନ୍ତ ହୋଇନାହିଁ । ଏହି ବୈଠକ ପରେ ନିଷାଦ କହିଥିଲେ ଯେ ଆମେ ୪୦୩ ଆସନରେ ଏକାଠି ଲଢିବୁ । ଆମେ ଆଜି ବିଜୟ ଉପରେ ଆଲୋଚନା କଲୁ, ଆସନ ଭାଗବଣ୍ଟା ଉପରେ ନୁହେଁ । ସେହିପରି ଅନୁପ୍ରିୟା ପଟେଲ କହିଛନ୍ତି ଯେ ଏନଡିଏ ହେଉଛି ସାମାଜିକ ନ୍ୟାୟ ଓ ବିକାଶର ଏକ ଉନ୍ନତ ସମ୍ମିଶ୍ରଣ ।
ଗତ ଶନିବାରଦିନ ବିଜେପି ପକ୍ଷରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହେବାକୁ ଥିବା ୫୮ଟି ଆସନରୁ ୫୭ ଆସନ ପାଇଁ ଓ ୨ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ୫୫ଟି ଆସନରୁ ୪୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁରୁ ନିର୍ବାଚନ ଲଢିବେ ବୋଲି ବିଜେପିର ଉତ୍ତରପ୍ରଦେଶ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ ।