ପଞ୍ଜାବ ପାଇଁ ବିଜେପି ଘୋଷଣା କଲା ୩୪ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା : ୧୨ କୃଷକଙ୍କୁ ଟିକେଟ୍

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବିଜେପି  ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେପିର ଜାତୀୟ ମହାସଚିବ ଦ୍ୟୁଷ୍ୟନ୍ତ ଗୌତମ ଏହି ତାଲିକା ଘୋଷଣା କରିଛନ୍ତି ।

ପ୍ରଥମ ଦଫାରେ ମୋଟ ୩୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲାବେଳେ ସେଥିରୁ ୧୨ ଜଣ କୃଷକ ଅଛନ୍ତି । ଏହାଛଡ଼ା ଏହି ତାଲିକାରେ ୧୩ ଜଣ ଶିଖ ଓ ୮ ଜଣ ଅନୁସୂଚୀତ ଜାତି ବର୍ଗର ପ୍ରାର୍ଥୀ ଅଛନ୍ତି ।

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ପଞ୍ଜାବ ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ । ଏକ ସୀମାନ୍ତବର୍ତ୍ତୀ ରାଜ୍ୟ ହେବା ସହ ଦେଶ ପାଇଁ ଏହାର ଗୁରୁତ୍ବୂପୂର୍ଣ୍ଣ ଅବଦାନ ରହିଛି । ଆମେ ଏହି ରାଜ୍ୟ ପାଇଁ ଅନେକ ବିକାଶମୂଳକ ଯୋଜନା କରିଛୁ । ତେବେ ଶିରୋମଣି ଅକାଳି ଦଳ ସହ ବିଜେପିର ମେଣ୍ଟ ଭାଙ୍ଗିବାକୁ ନେଇ ଦଳ ଖୁସି ଅଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଫେବ୍ରୁଆରି ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏହି ନିର୍ବାଚନ ପାଇଁ ବିଜେପି କ୍ୟାପଟେନ ଅମରିନ୍ଦର ସିଂଙ୍କ ନୂଆ ଦଳ ପଂଜାବ ଲୋକ କଂଗ୍ରେସ ସହ ମେଣ୍ଟ କରିଛି । ଗତ ବର୍ଷ କଂଗ୍ରେସରୁ ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ନୂଆ ଦଳ ଘୋଷଣା କରିଥିଲେ ।

ଗତ ସପ୍ତାହରେ ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ  ୮୬ ଜଣିଆ ପ୍ରଥମ ପାର୍ଥୀ ତାଲିକା ଘୋଷଣା କରିଥିଲା । ତେବେ ଦଳ ପକ୍ଷରୁ ୨ୟ ତାଲିକା ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ ।

ସମ୍ବନ୍ଧିତ ଖବର