ନୂଆଦିଲ୍ଲୀ: ଆଦାନି ଏବଂ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ମାମଲାରେ ବିଜେପିକୁ କଂଗ୍ରେସ ଆକ୍ରମଣ କରି ଆସୁଛି। ଦେଶରେ ଏହି ମାମଲାକୁ ନେଇ ରାଜନୀତି ଗରମ ରହିଥିବା ବେଳେ ଏବେ କଂଗ୍ରେସ ଦୁର୍ନୀତିର ପେଡ଼ି ବିଜେପି ଖୋଲିଛି। ୭୦ ବର୍ଷର ଶାସନ ଅମଳରେ କଂଗ୍ରେସ ଲୋକଙ୍କଠାରୁ ୪୮,୨୦,୬୯,୦୦,୦୦,୦୦୦ ଟଙ୍କା ଲୁଟ୍ କରିଛି। ବିଜେପି ଏହାର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲ୍ରେ ‘କଂଗ୍ରେସ ଫାଇଲ୍ସ’ ନାମରେ ଭିଡ଼ିଓ ଛାଡ଼ିଛି। ଏହି ଭିଡ଼ିଓ କଂଗ୍ରେସ ଦୁର୍ନୀତି ଫାଇଲ୍ର ପ୍ରଥମ ସଂସ୍କରଣ ବୋଲି ବିଜେପି କହିଛି। କଂଗ୍ରେସ ଶାସନ ସମୟରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଓ ଭ୍ରଷ୍ଟାଚାର କିଭଳି ଘଟିଛି ତାହା ଦେଖନ୍ତୁ ବୋଲି ଏଥିରେ କୁହାଯାଇଛି।
ଭିଡ଼ିଓ ମେସେଜ୍ରେ ‘କଂଗ୍ରେସ ମତଲବ୍ କରପ୍ସନ୍’ ବା କଂଗ୍ରେସ ଅର୍ଥ ଦୁର୍ନୀତି ବୋଲି ଉଲ୍ଲେଖ କରାଯାଇଛି। ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ଏହି ଦଳ ଲୁଟିଛି। ଦେଶର ଅନେକ ବିକାଶମୂଳକ ଓ ସୁରକ୍ଷା କାର୍ଯ୍ୟରେ ଉକ୍ତ ଅର୍ଥକୁ ବିନିଯୋଗ କରାଯାଇ ପାରିଥାନ୍ତା ବୋଲି ଦଳ କହିଛି। ୩ ମିନିଟର ଏହି ଭିଡ଼ିଓରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଫଟୋ ରହିଛି। କଂଗ୍ରେସ କରିଥିବା ଦୁର୍ନୀତି ଅର୍ଥରେ ୨୪ଟି ଆଇଏନଏସ୍ ବିକ୍ରାନ୍ତ, ୩୦୦ ରାଫେଲ ଜେଟ୍ କିଣାଯାଇ ପାରିଥାନ୍ତା କିମ୍ବା ତିଆରି କରାଯାଇ ପାରିଥାନ୍ତା। ଏହା ସହିତ ୧୦୦୦ ମଙ୍ଗଳ ମିସନ୍ ମଧ୍ୟ ସମ୍ଭବ ହୋଇପାରିଥାନ୍ତା। କିନ୍ତୁ ଦେଶକୁ କଂଗ୍ରେସର ଦୁର୍ନୀତିକୁ ସହ୍ୟ କରିବାକୁ ପଡ଼ିଛି। ପ୍ରଗତିରେ ଦେଶ ପଛରେ ପଡ଼ିଯାଇଛି ବୋଲି ଉକ୍ତ ଭିଡ଼ିଓ ବାର୍ତ୍ତାରେ କୁହାଯାଇଛି।
ଉପା ସରକାରଙ୍କ ୧୦ ବର୍ଷର ଶାସନ ସମୟରେ ଭିଭିଆଇପି ଚପର କ୍ରୟଠାରୁ ଆରମ୍ଭ କରି ବିଭିନ୍ନ ଚର୍ଚ୍ଚିତ ଦୁର୍ନୀତି ସଂପର୍କରେ ଉଲ୍ଲେଖ କରାଯାଇଛି। ସେଥିରେ ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି, ୧.୭୬ ଲକ୍ଷ କୋଟି ଟଙ୍କାର ୨ଜି ସ୍ପେକ୍ଟ୍ରମ ଦୁର୍ନୀତି, ୧୦ ଲକ୍ଷ କୋଟି ଟଙ୍କାର ମନରେଗା ଦୁର୍ନୀତି, ୭୦ ହଜାର କୋଟି ଟଙ୍କାର ରାଜ୍ୟଗୋଷ୍ଠୀ ଦୁର୍ନୀତି, ଇଟାଲି ସହିତ ହେଲିକପ୍ଟର କ୍ରୟ ରାଜିନାମାରେ ୩୬୨ କୋଟି ଟଙ୍କାର ଲାଞ୍ଚ ଏବଂ ରେଳ ବୋର୍ଡ ଅଧ୍ୟକ୍ଷ ପଦ ପାଇଁ ୧୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି ବୋଲି ଦର୍ଶାଯାଇଛି। ଭିଡ଼ିଓ ଶେଷରେ ବିଜେପି ପକ୍ଷରୁ କୁହାଯାଇଛି, ଏହା କଂଗ୍ରେସ ଦୁର୍ନୀତିର ଏକ ଝଲକ ବା ଟ୍ରେଲର। ସିନେମା ଶେଷ ହୋଇନାହିଁ। ସୋସିଆଲ ମିଡିଆରେ ଜାରି ହୋଇଥିବା ଉକ୍ତ ‘କଂଗ୍ରେସ ଫାଇଲ୍ସ’କୁ ସିଜନ୍-୧ର ପ୍ରଥମ ଅଧ୍ୟାୟ ଭାବେ ବିଜେପି ଉଲ୍ଲେଖ କରିଛି। ତେଣୁ ଆଗାମୀ ଦିନରେ ବିଜେପି ଏଭଳି ଅନେକ ଭିଡ଼ିଓ ଛାଡ଼ିବ ବୋଲି ଅନୁମାନ କରାଯାଉଛି। ।