ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ବିଜେପି ନେତା ଅମିତ ମାଲବ୍ୟ ଓ ସମ୍ବିତ ପାତ୍ର କଡ଼ା ସମାଲୋଚନା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସମ୍ବିତ କହିଛନ୍ତି ଯେ କଂଗ୍ରେସ କେବଳ ମୁହଁରେ ଦେଶ ସହ ଛିଡ଼ା ହୋଇଛି ବୋଲି ଦାବି କରୁଛି, କିନ୍ତୁ ଏହାର ନେତାମାନେ ସେନା ଉପରେ ଲଗାତାର ଆକ୍ରମଣ କରୁଛନ୍ତି। କଂଗ୍ରେସ ନେତା ବାରମ୍ବାର ଭାରତର ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରମାଣ ମାଗୁଛନ୍ତି। ପାକିସ୍ତାନର କେତେ ବାୟୁସେନା ଘାଟି ଧ୍ୱଂସ ହୋଇଛି କିମ୍ବା କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପଚାରିବା ପରିବର୍ତ୍ତେ ରାହୁଲ ଗାନ୍ଧୀ କେବଳ କେତେ ଭାରତୀୟ ବିମାନକୁ ଖସାଇ ଦିଆଯାଇଛି ତାହା ଜାଣିବାକୁ ଚାହୁଛନ୍ତି। ବର୍ତ୍ତମାନ ରେବନ୍ତ ରେଡ୍ଡୀ ବି ସମାନ ପ୍ରଶ୍ନ ପଚାରୁଛନ୍ତି। ସମ୍ବିତ କହିଛନ୍ତି, ‘ୟେ ଜୋ ପାକିସ୍ତାନ କେ ବବ୍ବର ହୈଁ, ୱହ ହିନ୍ଦୁସ୍ତାନ କେ ଗବ୍ବର ହୈ।’
ନିହତ ଆତଙ୍କବାଦୀଙ୍କ ପାଇଁ ସୋନିଆ ଗାନ୍ଧୀ କାନ୍ଦିଥିଲେ। ୨୬/୧୧ ପରେ ରାହୁଲ ଗାନ୍ଧୀ ଉତ୍ସବ ପାଳନ କରିଥିଲେ। ଏବେ ରେବନ୍ତ ରେଡ୍ଡୀ, ରାହୁଲ ଗାନ୍ଧୀ ଓ ଜୟରାମ ରମେଶ ପ୍ରଶ୍ନ କରୁଛନ୍ତି ଯେ କେତେ ଭାରତୀୟ ବିମାନ ନଷ୍ଟ ହୋଇଛି। ସମ୍ବିତ କହିଛନ୍ତି ଯେ ଭାରତ ୯ଟି ଆତଙ୍କବାଦୀ ଶିବିର ଓ ୧୧ଟି ପାକିସ୍ତାନୀ ବାୟୁସେନା ଘାଟିକୁ ଧ୍ୱଂସ କରିଛି। ଯଦି ରାଫେଲ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତା, ତା’ହେଲେ ଭଗ୍ନାବଶେଷ ଓ ପ୍ରମାଣ ମିଳିଥାନ୍ତା। ଆମର ଗୋଟିଏ ବି ବିମାନ ନଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି। କଂଗ୍ରେସର ‘ଜୟ ହିନ୍ଦ୍ ଯାତ୍ରା’କୁ ଟାର୍ଗେଟ କରି ସମ୍ବିତ କହିଛନ୍ତି, ଏହା ‘ପାକିସ୍ତାନ କି ହିନ୍ଦ୍ ଯାତ୍ରା’ ଭଳି ଲାଗୁଛି। କଂଗ୍ରେସରେ ଏବେ ଦୁଇଟି ଗୋଷ୍ଠୀ ଅଛନ୍ତି, ଗୋଟିଏ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରୁଥିବା ବେଳେ ଅନ୍ୟଟି ଭାରତ ସହ ଛିଡ଼ା ହେବାକୁ ଚାହୁଛି କିନ୍ତୁ ରାହୁଲ ଗାନ୍ଧୀଙ୍କ ଭଳି ନେତା ତାଙ୍କୁ ଚୁପ୍ ରହିବାକୁ ବାଧ୍ୟ କରୁଛନ୍ତି। ସେମାନେ ଏଭଳି ଯାତ୍ରା ବନ୍ଦ କରନ୍ତୁ ଏବଂ ଏହା ବଦଳରେ ପାକିସ୍ତାନ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରନ୍ତୁ ବୋଲି ପାତ୍ର କହିଛନ୍ତି। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଏକ୍ସରେ ଏକ ପୋଷ୍ଟରେ ଜାତୀୟ ନିରାପତ୍ତା ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।